Essay on Space Mission in Odia Language : In this article " ମହାକାଶ ଅଭିଯାନ ରଚନା ", " Mahakash Abhijan Rachna in Odia Essay fo...
Essay on Space Mission in Odia Language: In this article "ମହାକାଶ ଅଭିଯାନ ରଚନା", "Mahakash Abhijan Rachna in Odia Essay for students of class 5, 6, 7, 8, 9, and 10.
Odia Essay on "Space Mission", "ମହାକାଶ ଅଭିଯାନ ରଚନା" for Students
ଭୂମିକା : ନୀଳାଭ ଶୂନ୍ୟର ଅନନ୍ତ ରହସ୍ୟଘେରା ତାରକାପୁଞ୍ଜ, ପ୍ରାଣଲୋଭା ଧବଳ ଚନ୍ଦ୍ରମା ପୁଣି ସର୍ବଶକ୍ତିର ଆଧାର ରୁଦ୍ର କଠୋର ସୂର୍ଯ୍ୟ ପ୍ରତି ସମୟରେ ଏଇ ମନୁଷ୍ୟ ଶିଶୁକୁ ହାତଠାରି ଆହ୍ବାନ କରିଛି । ଅନନ୍ତ ଓ ଅସୀମର ସେହି ଚିରନ୍ତନ ଆହ୍ବାନରେ ମଣିଷ ପ୍ରତି ସମୟରେ ହୋଇଛି ପାଗଳ ଏବଂ ତା’ର ଜିଜ୍ଞାସା ହୋଇଛି ସୀମାହୀନ । ସେହି ଅଫୁରନ୍ତ ରହସ୍ୟର ରପୁଟକୁ ଉଦ୍ଘାଟନ କରିବା ନିମନ୍ତେ ମନୁଷ୍ୟର ଦୁର୍ବାର ଆକାଂକ୍ଷା ଓ ଉଦ୍ୟମ କେବେ କୌଣସି କାଳରେ ପ୍ରତିହତ ହୋଇ ନାହିଁ । ଶତାବ୍ଦୀର ଅନ୍ତରାଳରେ ଯାହା ଦିନେ ଥିଲା। ଅଳସ ମସ୍ତିଷ୍କର କଳ୍ପନା ଓ ସ୍ଵପ୍ନ, ବିଂଶ ଶତାବ୍ଦୀରେ ତାହା ପରମ ସତ୍ୟ ଓ ବାସ୍ତବତାରେ ପରିଣତ ହୋଇଛି । ଆଜି ମନୁଷ୍ୟ ବୈଜ୍ଞାନିକ ଇତିହାସର ମାଇଲ ସ୍ତମ୍ଭ ସୃଷ୍ଟିକରି ଚନ୍ଦ୍ରବକ୍ଷରେ ପଦାର୍ପଣ କରିଛି ଓ ସମଗ୍ର ଅନ୍ତରୀକ୍ଷ ବକ୍ଷରେ ପରିଭ୍ରମଣ କରିବାର ଏକ ଅନାସ୍ୱାଦିତ ତୃପ୍ତି ଲାଭ କରିଛି ।
ମହାକାଶ ଯାତ୍ରାର ଇତିହାସ : ୧୯୫୭ ମସିହା ଅକ୍ଟୋବର ମାସର ୪ ତାରିଖ ଦିନଟି ବିଜ୍ଞାନର ଇତିହାସରେ ଏକ ସ୍ମରଣୀୟ ଦିବସ । ଏହିଦିନ ସୋଭିଏତ୍ ବୈଜ୍ଞାନିକମାନେ ସର୍ବପ୍ରଥମେ ସ୍ତୁତ୍ରନିକ ବା କୃତ୍ରିମ ଶିଶୁଚନ୍ଦ୍ର ଅନ୍ତରୀକ୍ଷ ବକ୍ଷରେ ଛାଡ଼ି ପୃଥିବୀର ଚତୁର୍ଦ୍ଦିଗରେ ତାହାକୁ ପୂରାଇବାରେ ଚରମ ସଫଳତା ହାସଲ କରିଥିଲେ । ଏହାହିଁ ଭବିଷ୍ୟତରେ ମହାକାଶ ଅଭିଯାନ କ୍ଷେତ୍ରରେ ମନୁଷ୍ୟକୁ ସଫଳ ଦିଗଦର୍ଶନ ଦେଇଥିଲା । ୮୩୬ କିଲୋଗ୍ରାମ୍ ଓଜନ ବିଶିଷ୍ଟ ଏହି କୃତ୍ରିମ ଉପଗ୍ରହଟି ପ୍ରତିଘଣ୍ଟାରେ ୧୮୦୦ ମାଇଲ ବେଗରେ ପୃଥିବୀକୁ ମାତ୍ର ୯୩ ମିନିଟ୍ ୨ ସେକେଣ୍ଡ ଅନ୍ତରରେ ପ୍ରଦକ୍ଷିଣ କରିପାରୁଥିଲା । ଯେଉଁ ପରିବାହକ ରକେଟ ଯନ୍ତ୍ର ସାହାଯ୍ୟରେ ଏହି ଶିଶୁଚନ୍ଦ୍ରକୁ ଅନ୍ତରୀକ୍ଷ ମଧ୍ୟରେ ଅବସ୍ଥାପିତ କରାଯାଇଥିଲା, ତାହା ମଧ୍ୟ ଦୀର୍ଘ ଏକ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବେ ପୃଥିବୀ ପରିକ୍ରମଣ କରି ଶେଷରେ ଧ୍ବଂସ ପାଇଯାଇଥିଲା । ମହାକାଶର ବହୁମୂଲ୍ୟ ତଥ୍ୟଗୁଡ଼ିକ ଭୂ-ପୃଷ୍ଠକୁ ପ୍ରେରଣ କରିବା ଉଦ୍ଦେଶ୍ୟରେ ଏଥିରେ ଦୁଇଟି ଶକ୍ତିଶାଳୀ ରେଡ଼ିଓ ଟ୍ରାନ୍ସମିଟର ଖଞ୍ଜାଯାଇଥିଲା । ପ୍ରଥମ ସ୍ତୁତ୍ରନିକ୍ର ବିସ୍ମୟକର ସାଫଲ୍ୟର ଏକ ମାସ ପରେ, ସେହି ବର୍ଷ ନଭେମ୍ବର ୩ ତାରିଖ ଦିନ ଦ୍ବିତୀୟ ‘ଶିଶୁଚନ୍ଦ୍ର’ ଆକାଶକୁ ପ୍ରେରଣ କରାଗଲା । ଅଧୂକ ବିସ୍ମୟର କଥା ଯେ, ଏହି ସ୍ତୁତନିରେ ମହାକାଶ ଗବେଷଣା ନିମନ୍ତେ ପ୍ରାଣିଜଗତର ପ୍ରତିନିଧ ଭାବରେ ପ୍ରଥମ ଅଭିଯାତ୍ରୀ ‘ଲାଇକା’ ନାମକ ଏକ କୁକୁରକୁ ପଠାଯାଇଥିଲା । ପୃଥିବୀଠାରୁ ବହୁ ଉର୍ଦରେ ମହାକାଶ ମଧ୍ୟରେ ତୀବ୍ର ଗତିଶୀଳ ଯାନରେ ଥିବା ଅବସ୍ଥାରେ ଜୀବନ୍ତ ପ୍ରାଣୀ ଦେହରେ କି ପ୍ରକାର ପ୍ରତିକ୍ରିୟା ସୃଷ୍ଟି ହୁଏ, ଲାଇକାଠାରୁ ଏହି ମୂଲ୍ୟବାନ ତଥ୍ୟ ସଂଗ୍ରହ କରାଯାଇଥିଲା ।
ଏହାପରେ ମାନବ ଜଗତ ସମ୍ମୁଖରେ ଅଧୁକ ବିସ୍ମୟ ସୃଷ୍ଟିକରି ୧୯୬୧ ମସିହା ଏପ୍ରିଲ ୧୨ ତାରିଖରେ ରୁଷର ୟୁରି ଗାଗାରିନ୍ ସର୍ବପ୍ରଥମ ମହାକାଶଯାତ୍ରୀ ରୂପେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ । ସେ ସଫଳତାର ସହ ଭୂପୃଷ୍ଠକୁ ଓହ୍ଲାଇ ଆସିବା ପରେ ସେହି ବର୍ଷ ମେ ୫ ତାରିଖରେ ଆମେରିକାର ଆଲାନ୍ ସେଫାର୍ଡ ଓ ଜୁଲାଇ ୧୨ ତାରିଖରେ ଭର୍ଜିଲ ଗ୍ରୀସମ୍ ପୃଥିବୀର କକ୍ଷପଥରେ କିଛି ସମୟ ଅବସ୍ଥାନ କରି ଫେରି ଆସିଥିଲେ । ୧୯୬୧ ମସିହା ଅଗଷ୍ଟ ୬ ତାରିଖ ଦିନ ଋଷିଆର ଜେର୍ମାନ ଟିଟୋର ମହାକାଶରେ ଦୀର୍ଘ ୨୫ ଘଣ୍ଟା ୧୮ ମିନିଟ୍ କାଳ ଅବସ୍ଥାନ କରି ଓ ପୃଥିବୀକୁ ୧୭ଥର ପରିକ୍ରମା କରିବାର କୃତିତ୍ୱ ହାସଲ କରିପାରିଥିଲେ । ସେହି ଦିନଠାରୁ ମହାକାଶ ଗବେଷଣା କ୍ଷେତ୍ରରେ ପୃଥିବୀର ଦୁଇଟି ଅଗ୍ରଗାମୀ ରାଷ୍ଟ୍ର ରୁଷ ଓ ଆମେରିକା ପରସ୍ପର ପ୍ରତିଦ୍ବନ୍ଦିତା ଚଳାଇ ବହୁ ଅସାଧ୍ୟ ଓ ଅଭୂତପୂର୍ବ କାର୍ଯ୍ୟ ସମ୍ପାଦନ କରି ପାରିଛନ୍ତି । ମହାକାଶ ଯାତ୍ରୀମାନେ ଅନ୍ତରୀକ୍ଷ ପଥରେ ପୃଥିବୀଠାରୁ ବହୁ ଦୂରକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ମହାକାଶରେ ଘଣ୍ଟା ଘଣ୍ଟା ଏପରିକି ଦିନ ଦିନ ସମୟ । ଅତିବାହିତ କରିବାକୁ ସକ୍ଷମ ହୋଇଛନ୍ତି । ୧୯୬୫ ମସିହା ଅଗଷ୍ଟ ମାସ ୨୧ ତାରିଖଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ କାଳ ଆମେରିକାର ଗର୍ଜନ କୁପର ଚାର୍ଲସ କନରାଡ଼ ମହାକାଶରେ ଅତିବାହିତ କରିଥିଲେ । ବହୁ ଅଜ୍ଞାତ ରହସ୍ୟ ଏବଂ ବହୁ ଅକାରଣ ଓ ସକାରଣ ଆଶଙ୍କାକୁ ଭେଦ କରିବା ନିମନ୍ତେ ମନୁଷ୍ୟ ଏଇଭଳି ବହୁଥର ମହାକାଶକୁ ଯାତ୍ରା କରିଛି; ଯାନ ମଧ୍ୟରୁ ବାହାରି ଆସି ଭାରଶୂନ୍ୟ ଅବସ୍ଥାରେ ଆକାଶରେ ପଦଚାରଣ କରିଛି, କକ୍ଷପଥ ପରିବର୍ଭନ କରିଛି ଏବଂ ଗୋଟିଏ ଯାନରୁ ବାହାରି ଆଉ ଗୋଟିଏ ଯାନରେ ସଫଳତାର ସହିତ ପ୍ରବେଶ କରିଛି ।
ମନୁଷ୍ୟ ଏହି ଦୁର୍ବାର ଆଶା ଆକାଂକ୍ଷା ଓ ପରିସମାପ୍ତିହୀନ ଅନୁସନ୍ଧିସା ବଶତଃ ଦୀର୍ଘଦିନ ଧରି ନିରବଚ୍ଛିନ୍ନ କ୍ଲାନ୍ତିହୀନ ଉଦ୍ୟମ ଶେଷରେ ପାଇଛି ସଫଳତାର ଅମୃତ ଆଦନ । ୧୯୬୯ ମସିହା ଜୁଲାଇ ୨୧ ତାରିଖ ଦିନ ଆମେରିକାର ମହାକାଶଚାରୀ ଆର୍ମଷ୍ଟ୍ରଙ୍ଗ ଓ ତାଙ୍କର ସହଯାତ୍ରୀ ଆଲିବ୍ରିନ ସଶରୀରେ ଯାଇ ଚନ୍ଦ୍ର ପୃଷ୍ଠରେ ଅବତରଣ କରି ସେଠାରେ ୨୧ ଘଣ୍ଟା କାଳ ଅତିବାହିତ କରି ନିରାପଦରେ ପୃଥିବୀକୁ ଫେରିଆସିଥିଲେ । ସୃଷ୍ଟିର ପ୍ରାରମ୍ଭରୁ ଆଜିସୁଦ୍ଧା ମନୁଷ୍ୟର ପ୍ରଗତି ଇତିହାସରେ ଏହି ଚନ୍ଦ୍ରବିଜୟ ଘଟଣା ହେଉଛି ଅତ୍ୟନ୍ତ ଦୁଃସାହସିକତାପୂର୍ଣ୍ଣ ଓ ବିସ୍ମୟକର । ପୃଥିବୀର କୋଟି କୋଟି ଲୋକ ଆମେରିକାର ଏହି ଦୁଇ ମହାକାଶଚାରୀଙ୍କର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ଦୃଶ୍ୟ ଶକ୍ତିଶାଳୀ ଟେଲିଭିଜନ ଜରିଆରେ ଦେଖୁ ଏବଂ ଚନ୍ଦ୍ରଲୋକଠାରୁ ସେମାନଙ୍କର କଣ୍ଠସ୍ବର ଶୁଣିପାରି ବିସ୍ମୟବିମୁଗଧ ହୋଇ ଯାଇଥିଲେ । ଆର୍ମଷ୍ଟ୍ରଙ୍ଗ ଓ ଆଡଟ୍ରିନ ସେଠାରେ ଆମେରିକାର ଜାତୀୟ ପତାକା, ଏକ ଶାନ୍ତିଫଳକ ଏବଂ ଶକ୍ତିଶାଳୀ କ୍ୟାମେରା, ରେଡ଼ିଓ ଯନ୍ତ୍ରପାତି ଇତ୍ୟାଦି ସ୍ଥାପନ କରିବା ସଙ୍ଗେ ସଙ୍ଗେ ଚନ୍ଦ୍ର ପୃଷ୍ଠାରୁ କିଛି ମାଟିଗୋଡ଼ି ସଂଗ୍ରହ କରି ଭୂ-ପୃଷ୍ଠକୁ ଫେରି ଆସିଥିଲେ । ଏହା ଫଳରେ ଯୁଗ ଯୁଗ ବ୍ୟାପୀ ରହସ୍ୟର କୁଝଟି ଓ ମଣିଷ ପ୍ରାଣର ଭ୍ରାନ୍ତି, ଅନ୍ଧ-ବିଶ୍ଵାସ ଇତ୍ୟାଦି ଦୂରୀଭୂତ ହୋଇଛି । ଚନ୍ଦ୍ର ଯେ ପାଟି ଗୋଡ଼ି, ପାହାଡ଼ ପର୍ବତ ପରିପୂର୍ଣ୍ଣ, ଜନମାନବବିହୀନ ଏକ ବିସ୍ତୀର୍ଣ ମରୁପ୍ରାନ୍ତର, ତାହା ନିର୍ବିବାଦରେ ପ୍ରମାଣିତ ହୋଇଛି ।
ଏହା ପରେ ମନୁଷ୍ୟ ଏକାଧୁକବାର ଚନ୍ଦ୍ରରେ ପଦାର୍ପଣ କରିଛି । ସେଠାରୁ ମୃଭିକା ସଂଗ୍ରହ କରି ଆଣିଛି ଏବଂ ଚଳନ୍ତା ଗାଡ଼ିରେ ଆରୋହଣ କରି ମାଇଲ ମାଇଲ ବନ୍ଧୁର ପଥ ପରିଭ୍ରମଣ କରିଛି । ସୁଦୁର ଶୁକ୍ର ଏବଂ ମଙ୍ଗଳ ପର୍ଯ୍ୟନ୍ତ ମନୁଷ୍ୟର ଦୃଷ୍ଟି ଏବେ ସଂପ୍ରସାରିତ ହୋଇଛି ଏବଂ ମଙ୍ଗଳରେ ମନୁଷ୍ୟବିହୀନ ଯାନ ପହଞ୍ଚି ପାରିଛି । ସ୍ୱୟଂକ୍ରିୟ ରେଡ଼ିଓ ଓ ଟେଲିଭିଜନ ଯନ୍ତ୍ର ସାହାଯ୍ୟରେ ସେଠାରୁ କେତେକ ତଥ୍ୟ ସଂଗ୍ରହ କରାଯାଇ ପାରିଛି । ୧୯୯୭ ମସିହାର ଜୁଲାଇ ମାସରେ ଆମେରିକାର ଚାଳକ ବିହୀନ ଯାନ Path Finder ୬ମାସର ଯାତ୍ରା ପରେ ମଙ୍ଗଳ ଗ୍ରହରେ ଅବତରଣ କରି ସେଠାରୁ ଚିତ୍ର ଉତ୍ତୋଳନ କରି ପୃଥିବୀକୁ ପ୍ରେରଣ କରିଛି ।
ମନୁଷ୍ୟର ଅଗ୍ରଗାମୀ ଚିନ୍ତାଧାରାର ଏକ ବାସ୍ତବ ରୂପାୟନ ହେଉଛି ମହାକାଶ ମଧ୍ୟରେ ଗୋଟିଏ ଗବେଷଣାକେନ୍ଦ୍ର ସ୍ଥାପନ କରିବା । ଗତ ୧୯୭୩ ଜୁନ ମାସରେ ଆମେରିକାର ଚାଲିସ କନାର୍ଡ, ଯୋଶେଫ କେରଉଇନ ଏବଂ ପାଲ ଉଇଜ ନାମରେ ତିନିଜଣ ମହାକାଶଚାରୀ ‘ ସ୍କାଇଲାବ୍ ନାମକ ମହାକାଶ ଗବେଷଣାଯାନରେ ବସି ପୃଥିବୀ କକ୍ଷକୁ ଯାତ୍ରା କରିଥିଲେ । ସେମାନେ ଭୁ-ପୃଷ୍ଠରୁ ପ୍ରାୟ ୨୩୫ ମାଇଲ ଊଦ୍ଧରେ ଥାଇ ନିରାପଦରେ ଚାରି ସପ୍ତାହକାଳ ଅତିବାହିତ କରି ପୃଥିବୀକୁ ଫେରି ଆସିଛନ୍ତି । ଏହି ଅଭିଜ୍ଞତା ଫଳରେ ଭବିଷ୍ୟତରେ ମହାକାଶଯାତ୍ରା ଅଧୁକ ସରଳ ହୋଇ ପାରିବ ବୋଲି ଆଶା କରାଯାଏ ।
ଭାରତ ମନୁଷ୍ୟବାହୀ ମହାକାଶଯାନ ଆକାଶକୁ ପ୍ରେରଣ କରିବାକୁ ସମର୍ଥ ହୋଇ ନଥିଲେ ମଧ୍ୟ ଭାରତର ଜଣେ ମହାକାଶଚାରୀ ରାକେଶ ଶର୍ମା ସୋଭିଏତ୍ ଋଷ ସାହାଯ୍ୟରେ ଅନ୍ତରୀକ୍ଷ ପରିକ୍ରମା କରି ଫେରି ଆସିଛନ୍ତି । ୧୯୮୪ ମସିହା ଏପ୍ରିଲ୍ ୪ ତାରିଖ ଦିନ ଶ୍ରୀ ଶର୍ମା ଋଷର ସୋୟୁଜ୍-ଟି-୧୧ ନାମକ ଯାନରେ ମହାକାଶକୁ ଯାତ୍ରା କରିଥିଲେ । ତାଙ୍କ ସହିତ ଥିଲେ ଋଷର ଅନ୍ୟ ଦୁଇଜଣ ଅଭିଜ୍ଞ ମହାକାଶଚାରୀ । ସେମାନେ ମହାକାଶରେ ଦୀର୍ଘ ୭ ଦିନ କାଳ ଅବସ୍ଥାନ କରି ନିରାପଦରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସୁତରାଂ ରାକେଶ ଶର୍ମା ହେଉଛନ୍ତି ଭାରତର ପ୍ରଥମ ମହାକାଶଚାରୀ ।
ମହାକାଶ ଅଭିଯାନ ଓ ବିଶ୍ଵ ରାଜନୀତି : ମନୁଷ୍ୟର ଏହି କଳ୍ପନାତୀତ ସାଫଲ୍ୟରେ ବିଶ୍ୱର ମାନବସମାଜ ଉବେଳିତ ହୋଇ ଉଠୁଥିବା ବେଳେ, ରାଜନୀତି କ୍ଷେତ୍ରରେ ଏହାକୁ ନେଇ ଏକ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୋଇଛି । ପୃଥିବୀର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ରୁଷ ମଧ୍ୟରେ ଚାଲିଥିବା ମହାକାଶ ବିଜୟ ପ୍ରତିଯୋଗିତାରେ ଆମେରିକା ଅଧିକ ପାରଦର୍ଶିତାର ପରିଚୟ ଦେଇଛି । ଆମେରିକା ହୁଏତ ଚନ୍ଦ୍ରମଣ୍ଡଳ ଉପରେ ନିଜର ସତ୍ ସାବ୍ୟସ୍ତ କରିବ ଏହି ଆଶଙ୍କା ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କରେ ଜାତ ହୋଇଛି; କିନ୍ତୁ ଏହା ଅବଶ୍ୟ ଏକ ସୁଦୂର ପରିକଳ୍ପନା; ମାତ୍ର ମହାକାଶକୁ ଯଦି କେହି ଆପଣାର ପ୍ରତିରକ୍ଷା ଉଦ୍ଦେଶ୍ୟରେ ବ୍ୟବହାର କରେ ଏବଂ ମହାକାଶ ବକ୍ଷରେ ସାମରିକ ଘାଟୀ ସ୍ଥାପନ କରି ଆଗାମୀ ପୃଥିବୀର ମହାସମର ନିମନ୍ତେ ପ୍ରସ୍ତୁତ ହୋଇ ରହେ, ତେବେ ପୃଥିବୀର ଅବସ୍ଥା ଭୟଙ୍କର ହୋଇଉଠିବ । ସୁତରାଂ ମହାକାଶ ଗବେଷଣା ବା ମହାକାଶ ଯାତ୍ରା ମାନବ ସମାଜର ଧ୍ବଂସ ପାଇଁ ଅଭିପ୍ରେତ ନ ହୋଇ ଗଠନ ପାଇଁ ଅଭିପ୍ରେତ ହେବା ଉଚିତ୍ । ମାନବର ଜ୍ଞାନ କୌଶଳ ଓ ତା’ର ଅତନ୍ଦ୍ର ସାଧନାର ଫଳ ରାଜନୀତିକ ଉଦ୍ଦେଶ୍ୟରେ ପ୍ରଯୁକ୍ତ ନ ହୋଇ ମାନବ ସମାଜର ବୃହତ୍ତର କଲ୍ୟାଣ କାମନାରେ ବିନିଯୁକ୍ତ ହେବା ଉଚିତ୍ ।
ଲାଭ କ୍ଷତି : ମହାକାଶ ଗବେଷଣା ବା ମହାକାଶ ଅଭିଯାନ ଉଦ୍ଦେଶ୍ୟରେ ଯେଉଁ ବିପୁଳ ଅର୍ଥ ବ୍ୟୟ କରାଯାଉଛି, ଗଠନମୂଳକ ଦିଗରୁ ତାହା କେତେଦୂର ଲାଭପ୍ରଦ ସେ ବିଷୟରେ ବର୍ତ୍ତମାନ ଚର୍ଚ୍ଚ କରାଯିବା ଆବଶ୍ୟକତା ଅନୁଭୂତ ହେଉଅଛି । ସମାଲୋଚକମାନଙ୍କ ମତରେ ବିପୁଳ ଅର୍ଥ ବିନିଯୋଗରେ ଆମେରିକା ଚନ୍ଦ୍ରଲୋକରୁ କେତେ ଖଣ୍ଡ ପ୍ରସ୍ତର ସଂଗ୍ରହ କରି ଆଣିବା ବ୍ୟତୀତ ମାନବ ସମାଜକୁ ଅଧୁକ କିଛି ଦାନ କରିପାରି ନାହିଁ ।
ଗ୍ରହ ଗ୍ରହାନ୍ତରରେ ମନୁଷ୍ୟ ଯାଇ କେବେ ବସତି ସ୍ଥାପନ କରି ସେଠାରେ ଆପଣାର ବଂଶ ବିସ୍ତାର କରି ପାରିବ ନାହିଁ କିମ୍ବା ଚନ୍ଦ୍ର ଓ ମଙ୍ଗଳକୁ କେବେ ନିଜର ଏକ ଉପନିବେଶ, ଭାବରେ ବ୍ୟବହାର କରି ପାରିବ ନାହିଁ । ମହାକାଶ ଅଭିଯାନରେ ବ୍ୟୟ ହେଉଥିବା ବିପୁଳ ଅର୍ଥକୁ ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ବ୍ୟୟ କରାଗଲେ ପୃଥିବୀରୁ ରୋଗ, କ୍ଷୁଧା, ଅଶିକ୍ଷା ଓ ଦାରିଦ୍ର୍ୟ ଇତ୍ୟାଦି ଦୂର ହୋଇ ପାରନ୍ତା । ଏଥିରେ ନିୟୋଜିତ ହଜାର ହଜାର ବୈଜ୍ଞାନିକ, ବିଶେଷଜ୍ଞ ସେମାନଙ୍କର ଶକ୍ତି, ଶ୍ରମ, ସମୟ ଓ ମେଧାକୁ ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ବିନିଯୋଗ କଲେ ଏହି ମଳିନ ଧରଣୀ ହୁଏତ ଶୋଭା ଓ ସଂପଦରେ ସୁମଣ୍ଡିତ ହୋଇପାରନ୍ତା । ସୁତରାଂ ମହାକାଶ ବିଜୟ ଓ ଗ୍ରହାନ୍ତରରେ ବସିତ ସ୍ଥାପନ ପରିକଳ୍ପନା ବର୍ତ୍ତମାନ ପାଇଁ ମଣିଷ ମନର ଏକ ଅବାସ୍ତବ ଖୁଆଲ ବ୍ୟତୀତ ଅନ୍ୟ କିଛି ନୁହେଁ ।
ଶେଷକଥା : ସମସ୍ତ ପ୍ରକାର ଆଲୋଚନା ଓ ସମାଲୋଚନା ସତ୍ତେ ମନୁଷ୍ୟ ତା’ର ଜିଜ୍ଞାସା ପ୍ରେରିତ ଦୁର୍ବାର ଅଭିଯାନରୁ କେବେ ନିବୃତ୍ତ ହୋଇ ପାରିବ ନାହିଁ । କାରଣ ନିତ୍ୟ-ନୂତନ ଅନୁସନ୍ଧିସା ହେଉଛି ମନୁଷ୍ୟର ଏକ ଚିରନ୍ତନ ପ୍ରବୃରି । ଅଜ୍ଞାତର ଆହ୍ବାନକୁ ପ୍ରତ୍ୟାଖ୍ୟାନ କରିବା ତା ପକ୍ଷେ କେବେ ସମ୍ଭବ ନୁହେଁ । ତା’ନ ହେଲେ କ୍ରମ ବିବର୍ତ୍ତନରେ ବିବର୍ତ୍ତିତ ମନୁଷ୍ୟ ଆଦିମ ଯୁଗର ଅନ୍ଧକାରକୁ ଦୂର କରି ଆଧୁନିକ ସଭ୍ୟ ଜଗତର ସକଳ ସମ୍ପଦକୁ ଭୋଗ କରିବାକୁ ସମର୍ଥ ହୋଇ ନ ଥା'ନ୍ତା ।
COMMENTS