Saturday, 6 February 2021

Odia Essay on "Women Empowerment", "ଭାରତୀୟ ନାରୀ ଜାଗରଣ ରଚନା" for Students

Essay on Women Empowerment in Odia Language: In this article "ଭାରତୀୟ ନାରୀ ଜାଗରଣ ରଚନା", "Bhartiya Mahila Rachna in Odia for students of class 5, 6, 7, 8, 9, and 10.

Odia Essay on "Women Empowerment", "ଭାରତୀୟ ନାରୀ ଜାଗରଣ ରଚନା" for Students

ଉପକ୍ରମ : ଆଜିକୁ ଅଦ୍ଧଶତାବ୍ଦୀ ପୂର୍ବେ ଭାରତୀୟ ଗଣ ଜୀବନରେ ଯେଉଁଦିନ ଏକ ନବଜାଗରଣର ଜୁଆର ଆସଲା, ସେଦିନ ଭାରତୀୟ ନାରୀ ସମତାଳରେ ପୁରୁଷ ସହିତ ସ୍ୱର ମିଳାଇ ତାକୁ ନନ୍ଦିତ ହୃଦୟରେ ସ୍ବାଗତ ଜଣାଇଥିଲା । କଣ୍ଡରେ ବନ୍ଧନ ମୁକ୍ତିର ଉଦ୍ଦାମ ସଂଗୀତ ଗାଇ, ଗୃହ କୋଣର ଅନ୍ଧକୂପ ମଧ୍ୟରୁ ନିଜକୁ ମୁକ୍ତିକରି ସମପାଦରେ ଆଗେଇ ଆସିଥିଲା ରାଜପଥକୁ । ଆଜି ବିଂଶ ଶତାବ୍ଦୀ ଅତିକ୍ରାନ୍ତ ହୋଇଯାଇଛି । କ୍ରାନ୍ତିର ସନ୍ଦେଶ ନେଇ ଏକବିଂଶ ଶତାବ୍ଦୀ ଭାରତୀୟ ନାରୀ ସମ୍ମୁଖରେ ଉପସ୍ଥିତ । ଶିକ୍ଷାଗତ, ସାମାଜିକ, ଆର୍ଥିକ ଓ ରାଜନୈତିକ, ସମସ୍ତ କ୍ଷେତ୍ରରେ କ୍ରାନ୍ତିର ସ୍ଵର ପ୍ରତିଧ୍ବନିତ । ଏହି ଚତୁର୍ମୁଖୀ ଜାଗୃତି ମଧ୍ୟରେ ସମାଜର ସବୁ ସ୍ତରର ଦୃଷ୍ଟି ନାରୀ ପ୍ରଗତି ଉପରେ ନିବଦ୍ଧ ହୋଇଛି । ନାରୀ କଲ୍ୟାଣ ଓ ନାରୀ ପ୍ରଗତି ହିଁ ସମାଜର ଯଥାର୍ଥ ପ୍ରଗତି ବୋଲି ଧରି ନିଆଯାଇଛି ।

ନାରୀ ଜାଗରଣର ଆଭିମୁଖ୍ୟ : ନାରୀ ଯେ କେବଳ ପୁରୁଷର ଏକ କଳ୍ପସହଚରୀ, ଲୀଳାସଙ୍ଗିନୀ ବା କାମନାର ଇନ୍ଦ୍ରଧନୁ ନୁହେଁ, ତାହା ଭାରତୀୟ ନାରୀ ଚରିତ୍ରରେ ସ୍ପଷ୍ଟ ରୂପେ ପ୍ରମାଣିତ ହୋଇଛି । ଏହି ଲାବଣ୍ୟବତୀ, ପ୍ରୀତି ପୀୟୂଷଧାରିଣୀ ମହନୀୟା ନାରୀର ଅତ୍ୟୁଚ୍ଚ ଆଦର୍ଶ ସମଗ୍ର ବିଶ୍ଵରେ ବିରଳ । ଦୀର୍ଘ ଦିନର ପରବଶତା ଯୋଗୁଁ ଭାରତୀୟ ସଂସ୍କୃତିର ପ୍ରାଣଧାରା ବ୍ୟାହତ ହୋଇଛି ଏବଂ ତାହାରି ଫଳରେ ନାରୀ ସ୍ଵାଧୀନତା ଏବଂ ନାରୀର ମର୍ଯ୍ୟାଦା କ୍ଷୁବ୍ଧ ହୋଇଛି । ଆଜିର ନବଜାଗରଣ ମଧ୍ୟରେ ସେହି ଗୌରବମୟ ଅତୀତର ପୁନଃ ପ୍ରତିଷ୍ଠା କରି ନାରୀକୁ ତା’ର ଯଥାଯୋଗ୍ୟ ସମ୍ମାନ ଓ ଅଧୁକାର ପ୍ରଦାନ କରିବା ହେଉଛି ନାରୀ ଜାଗରଣର ଲକ୍ଷ୍ୟ । ସେଥିପାଇଁ ନାରୀ ଶିକ୍ଷାର ପ୍ରସାର ସହିତ ବିଭିନ୍ନ ନାରୀ କଲ୍ୟାଣକର ଯୋଜନାମାନ କାର୍ଯ୍ୟକାରୀ କରାଯାଉଛି ଏବଂ ନାରୀକୁ ଅଧୁକରୁ ଅଧୁକ ସାମାଜିକ ଓ ରାଜନୈତିକ ଅଧିକାର ପ୍ରଦାନ କରିବା ନିମନ୍ତେ ଆଇନ ପ୍ରଣୟନ କରାଯାଉଛି ।

ସ୍ଵାଧୀନତା ଆନ୍ଦୋଳନରେ ନାରୀ : ନାରୀ ବିଧାତାର ଏକ ଦୁର୍ବଳ ସୃଷ୍ଟି ନୁହେଁ । ଯେଉଁଠି ପୁରୁଷର ଶକ୍ତି ପରାହତ ହୋଇଛି, ସେଠାରେ ନାରୀ ଶକ୍ତିର ଅଭ୍ୟୁଥାନ ଘଟିଛି । ଭାରତୀୟ ପୁରାଣରେ ଏହାର ଭୂରି ଭୂରି ଦୃଷ୍ଟାନ୍ତ ରହିଅଛି । ଏକ ପକ୍ଷରେ ସେ ସ୍ନେହ, ପ୍ରେମ, ଦୟା ଓ କୋମଳତାର ମୂଭିମତୀ ଦେବୀ, ଅପର ପକ୍ଷରେ ପୁଣି ସୃଷ୍ଟି, ସ୍ଥିତି ଓ ପ୍ରଳୟକାରିଣୀ ଦେବୀ ଦୁର୍ଗାଙ୍କର ଏକ ଅବତାର । ପୁରାଣରେ ଧନ ପାଇଁ ଲକ୍ଷ୍ମୀ, ଜ୍ଞାନ ପାଇଁ ସରସ୍ବତୀ ଏବଂ ଶକ୍ତି ପାଇଁ ଦୁର୍ଗାଙ୍କୁ କଳ୍ପନା କରାଯାଇଛି । ଅନ୍ୟାୟ ବିରୋଧରେ ନିଜର ସ୍ୱର ଉତ୍ତୋଳନ କରି ମାତୃଭୂମି ନିମନ୍ତେ ନିଭୀକ ଭାବରେ ସଙ୍ଗୀନ ଆଗରେ ଛାତି ପତାଇଦେବାକୁ ସେ କେବେ ପଶ୍ଚାତପଦ ହୋଇନାହିଁ । ବିଗତ ସ୍ବାଧୀନତା ସଂଗ୍ରାମରେ ଝାସୀ ରାଣୀ ଲକ୍ଷ୍ମୀବାଈଙ୍କର ଅପୂର୍ବ ଧୈର୍ଯ୍ୟ ଶକ୍ତି ଓ ସାହସର ପରାକାଷ୍ଠା ଇତିହାସ ପୃଷ୍ଠାରେ ସ୍ମରଣୀୟ ହୋଇ ରହିଛି । ୧୯୪୨ର ଆନ୍ଦୋଳନରେ ତମଲୁକର ମାତଙ୍ଗନୀ ହାଜରାଙ୍କ ଭଳି ଜଣେ ସଂଗ୍ରାମୀ ନାରୀଙ୍କର ବଳିଦାନର କାହାଣୀ ଭାରତୀୟ ନାରୀମାନଙ୍କ ପକ୍ଷେ କମ୍ ଗୌରବାବହ ନୁହେଁ । ସେଇଭଳି ସରୋଜିନୀ ନାଇଡୁ, କସ୍ତୁରବା ଗାନ୍ଧି, କମଳାଦେବୀ ଚକ୍ଟୋପାଧ୍ୟାୟ, ଅରୁଣା ଆସଫ ଅଲ୍ଲି, ରାଜକୁମାରୀ ଅମୃତ କାଉର, ବିଜୟଲକ୍ଷ୍ମୀ ପଣ୍ଡିତ ଓ ପଦ୍ମଜା ନାଇଡୁ ପ୍ରଭୃତି ମହୀୟସୀ ନାରୀମାନଙ୍କର ଅବଦାନକୁ କେହି ଅସ୍ୱୀକାର କରି ପାରିବ ନାହିଁ । ଓଡ଼ିଶାର ନାରୀମାନଙ୍କ ମଧ୍ୟରେ ରମାଦେବୀ, ସରଳାଦେବୀ, ଅନ୍ନପୂର୍ଣ୍ଣା ମହାରଣା, ମାଳତୀ ଚୌଧୁରୀ ପ୍ରଭୃତିଙ୍କର ଅବଦାନ କୌଣସି ଗୁଣରେ ଊଣା ନୁହେଁ । ସ୍ୱର୍ଗୀୟା ଇନ୍ଦିରାଗାନ୍ଧି ଭାରତର ପ୍ରଧାନମନ୍ତ୍ରୀ ଭାବେ ବିଶ୍ବର ରାଜନୀତିକ ଇତିହାସରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲେ । ଯେକୌଣସି ପୁରୁଷର ଶକ୍ତିଠାରୁ ନାରୀଶକ୍ତି ଯେ ଅଧ୍ବକ ବଳବାନ ହୋଇପାରେ ତାହା ସେ ପ୍ରମାଣ କରିଦେଇଥିଲେ ।

ସାମାଜିକ ଜୀବନରେ ନାରୀ : ବୈଦିକ ଯୁଗର ସାମାଜିକ ଇତିହାସ ଅନୁଧ୍ୟାନ କଲାବେଳେ ଜଣାଯାଏ ଯେ, ନାରୀ କେବଳ ପୁରୁଷର ସହଧର୍ମିଣୀ ନ ଥିଲା, ସେ ସହକର୍ମୀ ମଧ୍ୟ ଥିଲା । ଯାଗ ଯଜ୍ଞ ଧର୍ମାନୁଷ୍ଠାନଠାରୁ ଆରମ୍ଭ କରି ଶାସନ କାର୍ଯ୍ୟ ପରିଚାଳନା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସେ ପୁରୁଷର ପାଖେ ପାଖେ ରହି ତାହାକୁ ସାହାଯ୍ୟ କରୁଥିଲା । ନାରୀ ଶକ୍ତିର ସ୍ୱକୃତି ଦେବାକୁ ଯାଇ ପରବର୍ତ୍ତୀ କାଳରେ ଭାରତରେ ନାରୀ ଅକାରର ପୁନଃ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ବିଧାନ କରାଯାଇଛି । ଶିକ୍ଷା, ଶାସନ, ସମାଜ ସେବା, ରାଜନୀତି ଇତ୍ୟାଦି ସମସ୍ତ କ୍ଷେତ୍ରରେ ନାରୀ ତା’ର ପାରଦର୍ଶିତା ପ୍ରଦର୍ଶନ କରିପାରିଛି । ଶିଶୁପାଳନ ଓ ପାରିବାରିକ କର୍ମାୟୋଜନଠାରୁ ଆରମ୍ଭ କରି ଶିକ୍ଷାନୀତି, ରାଜନୀତି, ଅର୍ଥନୀତି, ଆଇନ, ଚିକିତ୍ସା, ଶିଳ୍ପ, ବିଜ୍ଞାନ, ସାହିତ୍ୟ, ଗବେଷଣା ସର୍ବୋପରି ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ସେ ସମାନ ଯୋଗ୍ୟତା ହାସଲ କରିବାର ଗୌରବ ଲାଭ କରିପାରିଛି । ରାଜନୀତି କ୍ଷେତ୍ରରେ ପଞ୍ଚାୟତଠାରୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ତା ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟକ ସ୍ଥାନ ସଂରକ୍ଷଣ କରିବା ନିମନ୍ତେ ଆଇନ୍ ମଧ୍ୟ ପ୍ରସ୍ତୁତ କରାଯାଇଛି । ପୁରୁଷ ସହ ସମକକ୍ଷା ଓ ସମଯୋଗ୍ୟ ହୋଇ ସମାଜର ପ୍ରତ୍ୟେକ ସ୍ତରରେ ନିଜର ଜନ୍ମଗତ ମୌଳିକ ଅଧକାରକୁ ସାବ୍ୟସ୍ତ କରିବାକୁ ଭାରତୀୟ ନାରୀମାନେ ଆଜି ଆଗେଇ ଆସିଛନ୍ତି । ରନ୍ଧନଶାଳାର କୂପମଣ୍ଡୁକତା ମଧ୍ୟରେ ଆବଦ୍ଧ ଥାଇ ପୁରୁଷର କେବଳ ଏକ ଆଜ୍ଞାବାହିକା ଭାବରେ କାର୍ଯ୍ୟ କରିବାର ବେଳ ଚାଲିଯାଇଛି । ଆପଣାର ପ୍ରଜ୍ଞା ଓ ପାରଦର୍ଶିତା ବଳରେ ସେ ଆଜି ସ୍ଵୟଂସଂପୂର୍ଣ୍ଣା ଓ ପୁରୁଷର ସମକକ୍ଷା ।

ନାରୀ ନିର୍ଯାତନା ଓ ନାରୀ ଚରିତ୍ରର ତ୍ରୁଟି : ନାରୀ ସ୍ବାଧୀନତା ତଥା ନାରୀ ପ୍ରଗତି ପାଇଁ ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ଵେ ଭାରତୀୟ ସମାଜ ଏକ ପୁରୁଷପ୍ରଧାନ ସମାଜ ହୋଇ ରହିଛି । ପୁରୁଷର କଟାକ୍ଷ, କପଟାଚାର ତଥା କୃତ୍ରିମ ସମ୍ବେଦନରୁ ନାରୀ ରକ୍ଷାପାଇ ନାହିଁ । ନାରୀ ଶିକ୍ଷାର ଯେତିକି ପ୍ରସାର ଘଟୁଛି, ସେତିକି ପରିମାଣରେ ଯୌତୁକ ନିର୍ଯାତନା, ଧର୍ଷଣ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ନାରୀ ଏକ ଭୋଗ୍ୟ ସାମଗ୍ରୀ ଭାବରେ ବିବେଚିତ ହୋଇଛି । ସେଇଥିପାଇଁ ଭ୍ରଷ୍ଟ ସମାଜର ଲୋଲୁପ ଦୃଷ୍ଟି ତା’ଉପରେ ନିବଦ୍ଧ ହୋଇଛି । ତା’ର ଦେହର ସୌନ୍ଦର୍ଯ୍ୟ ହୋଇଛି ବଜାରର ପଣ୍ୟଦ୍ରବ୍ୟ ତଥା ଅର୍ଥ ଉପାର୍ଜନର ଏକ ବଳିଷ୍ଠ ମାଧ୍ୟମ । ସିନେମା, ଥିଏଟର, ଦୂରଦର୍ଶନ ଓ ବିଜ୍ଞାପନ ଇତ୍ୟାଦିରେ ତା’ର ନଗ୍ନତାକୁ ହିଁ ଉପଯୋଗ କରି ପୁରୁଷର ଦୃଷ୍ଟିକୁ କଳୁଷିତ କରାଯାଉଛି । ସୁନ୍ଦରୀ ପ୍ରତିଯୋଗିତା ନାମରେ ନଗ୍ନ ଅଙ୍ଗର ଯେଭଳି ନିର୍ଲଜ ପ୍ରଦର୍ଶନୀ କରାଯାଉଛି, ତାହାକୁ କେବେ ଏକ ଭଦ୍ର ଓ ମାର୍ଜିତ ସଂସ୍କୃତି ବୋଲି ବିଚାର କରାଯାଇନପାରେ । ଆଧୁନିକ ଯୁଗର ଶିକ୍ଷିତା ନାରୀ ସ୍ଵୟଂ ଏହି ଭ୍ରଷ୍ଟତା ନିମନ୍ତେ ଦାୟୀ । ଆଧୁନିକତା ନାମରେ ସ୍ୱେଚ୍ଛାଚାରିତାକୁ ପ୍ରଶୟ ଦେଇ ସେ କେବଳ ପୁରୁଷର କାମନାରେ ଇନ୍ଧନ ଯାଗାଉଛି । ଯେଉଁ ମାୟାମୃଗର ଅସତ୍ୟ ପ୍ରଲୋଭନ ଆଜି ପଥଭ୍ରାନ୍ତ ନାରୀ ସମାଜକୁ ସମୁଖକୁ ଟାଣି ନେଉଛି, ତାହା ହେଉଛି ତା’ର ଛଳନା, କୃତ୍ରିମତା ଓ ଭୋଗଲିପ୍ସା । ବିବେକପୂର୍ଣ୍ଣ ଦୃଷ୍ଟିରେ ବିଚାର କଲେ ନାରୀ ଏ ପର୍ଯ୍ୟନ୍ତ ମଧ୍ୟ ଗଭୀର ମୋହଯୁକ୍ତ । ସେ ନିଜର ନଗ୍ନ ଅଙ୍ଗ ପ୍ରଦର୍ଶନ କରି ପୁରୁଷର ବାସନାପୂର୍ଣ୍ଣ ଦୃଷ୍ଟିକୁ ବିସ୍ତାରିତ କରୁଛି । ସୁତରାଂ ନାରୀକୁ କେବଳ ଅଧୁକାର ବା ସ୍ଵାଧୀକାର ପ୍ରଦାନ କଲେ ହେବନାହିଁ, ସମାଜକୁ କିଭଳି ଭଦ୍ର, ମାର୍ଜିତ ଓ ରୁଚିପୂର୍ଣ୍ଣ କରିବାକୁ ହେବ, ସେ ବିଷୟରେ ଚିନ୍ତା କରିବାକୁ ହେବ ।

ଶେଷକଥା : ନାରୀ ହେଉଛି ଜାୟା, ନାରୀ ହେଉଛି ଜନନୀ । ଜାୟା ଅପେକ୍ଷା ଜନନୀ ଭାବରେ ସେ ଅଧୁକ ବନ୍ଦନୀୟା । ତେଣୁ ସମାଜ ତାହାକୁ କନନୀ ଭାବରେ ଅଧିକ ସମ୍ମାନ ଦେବା ଉଚିତ୍ । ନାରୀ ମଧ୍ୟ ନିଜର ମହତ୍ତ୍ବର ଦାୟିତ୍ଵ ଓ କର୍ତ୍ତବ୍ୟକୁ ହୃଦୟଙ୍ଗମ କରି ସେଇ ସମ୍ମାନର ଭାଜନ ହେବାକୁ ଚେଷ୍ଟା କରିବା ଉଚିତ୍ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: