Essay on Sital sasthi Festival in Odia Language : In this article " ଶୀତଳ ଷଷ୍ଠୀ ଯାତ୍ରା ରଚନା ", " Sital sasthi Festival Informa...
Essay on Sital sasthi Festival in Odia Language: In this article "ଶୀତଳ ଷଷ୍ଠୀ ଯାତ୍ରା ରଚନା", "Sital sasthi Festival Information in Odia for students of class 5, 6, 7, 8, 9, and 10.
Odia Essay on "Sital sasthi Festival", "ଶୀତଳ ଷଷ୍ଠୀ ଯାତ୍ରା ରଚନା" for Students
ଉପକ୍ରମ : ରୌଦ୍ରକୂନ୍ତ ବୈଶାଖର ପ୍ରଖର ଜ୍ବଳନ ଶେଷରେ ସଜଳ ଜଳଦ ମଣ୍ଡିତ ଶୀତଳ ଜ୍ୟେଷ୍ଠ ମାସ ଯେତେବେଳେ ପୃଥିବୀ ପୃଷ୍ଠକୁ ଓହ୍ଲାଇ ଆସେ ସେତେବେଳେ ପଶ୍ଚିମ ଓଡ଼ିଶାର ଘରେ ଘରେ ଖେଳିଯାଏ ଅପୂର୍ବ ଆନନ୍ଦର ଏକ ଶିହରଣ । ଆବାଳ-ବୃଦ୍ଧ-ବନିତା ସମସ୍ତ ନରନାରୀ ବହୁ ପ୍ରତୀକ୍ଷିତ ଶୀତଳଷଷ୍ଠୀ ପର୍ବ ପାଳନ ନିମନ୍ତେ ବ୍ୟାକୁଳ ହୋଇ ଉଠନ୍ତି । ପୁରାଣର କିମ୍ବଦନ୍ତୀ ଉପରେ ଆଧାରିତ ଏହି ପର୍ବଟି କେଉଁ ଅନାଦି କାଳରୁ ହିନ୍ଦୁ ଜଗତରେ ପାଳିତ ହୋଇ ଆସୁଛି । ମହାଯୋଗୀ ଶିବ ଏବଂ ଶକ୍ତିରୂପିଣୀ ପରମ ଆରାଧ୍ୟ ଦେବୀ ପାର୍ବତୀ ହେଉଛନ୍ତି ଏହି ପର୍ବର କେନ୍ଦ୍ରବିନ୍ଦୁ । ତାହାଙ୍କର ପରିଣୟ ପର୍ବ ହିଁ ହେଉଛି ଶୀତଳ ଷଷ୍ଠୀର ପ୍ରଧାନ ଭାବବସ୍ତୁ । ହିନ୍ଦୁଜଗତରେ ବଳିଷ୍ଠ ଧର୍ମବିଶ୍ବାସକୁ କେନ୍ଦ୍ରକରି ଗଢ଼ିଉଠିଛି ରାଶି ରାଶି ଉତ୍ସବ ଓ ମହୋତ୍ସବ । ସୀତାଜନ୍ତି ଓ ରାମବିବାହଠାରୁ ଆରମ୍ଭ କରି ରକ୍ଷାବନ୍ଧନ ଓ ହରିଶୟନ ପର୍ଯ୍ୟନ୍ତ ଅସୁମାରି ଧାର୍ମିକ ପର୍ବ ସାମାଜିକ ମାନବର ରସାମୋଦୀ ପ୍ରାଣକୁ ପରିତୁଷ୍ଟ କରି ଆସିଛି । ଶୀତଳ ଷଷ୍ଠୀ ପର୍ବଟି ହେଉଛି ସେଥିମଧ୍ୟରୁ ଏକତମ । ଏହା ପଶ୍ଚିମ ଓଡ଼ିଶାରେ ଅଧୁକ ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ ।
ଶୀତଳ ଷଷ୍ଠୀର ଧାର୍ମିକ ପୃଷ୍ଠଭୂମି : ସେ ଆଜିକୁ ଅନେକ ଦିନ ତଳର କଥା । ହିମାଳୟର ଉପାନ୍ତରେ ମହାଯୋଗୀ ଶିବ ଗଭୀର ଭାବରେ ଧ୍ୟାନମଗ୍ନ । ହିମାଦ୍ରିନନ୍ଦିନୀ ପାର୍ବତୀ ପ୍ରତ୍ୟହ ପୂଜାଅର୍ଘ୍ୟ ନିବେଦନ କରି ନିରାଶରେ ଫେରି ଯାଉଛନ୍ତି; କିନ୍ତୁ ଯୋଗୀଙ୍କର ଧ୍ୟାନଭଗ୍ନ ହେଉନାହିଁ । ତେଣେ ଦେବତା ମଣ୍ଡଳୀ ଉତ୍କଣ୍ଡିତ ଭାବରେ ପ୍ରତୀକ୍ଷା କରି ରହିଛନ୍ତି ଶିବଙ୍କର ଧ୍ୟାନଭଗ୍ନ ମୁହୁର୍ଭକୁ । କାରଣ ସୃଷ୍ଟିର ମଙ୍ଗଳାର୍ଥ ଶିବଙ୍କ ସହିତ ପାର୍ବତୀଙ୍କର ମିଳନ ଅନିବାର୍ଯ୍ୟ । ଶିବ ଓ ଶକ୍ତିର ମିଳନ ନ ଘଟିଲେ ସୃଷ୍ଟି ରକ୍ଷଣ ଅସମ୍ଭବ । ସେଥିପାଇଁ ନିୟୋଜିତ କରାଯାଇଛି ରୂପଦେବତା କାମଦେବଙ୍କୁ । କାମଦେବ ବୃକ୍ଷର ଅନ୍ତରାଳରେ ଥାଇ ମହାଦେବଙ୍କ ପ୍ରତି ତାଙ୍କର ପୁଷଧନୁରୁ ଶର ନିକ୍ଷେପ କରିଛନ୍ତି । ଫଳରେ ଯୋଗୀଙ୍କର ସର୍ବାଙ୍ଗରେ ଏକ ଅପୂର୍ବ ଶିହରଣ ସୃଷ୍ଟି ହୋଇଛି ଏବଂ ତାଙ୍କର ତପଭଗ୍ନ ହୋଇଛି; ମାତ୍ର ଯୋଗୀଙ୍କର ତପଭଗ୍ନ ଅପରାଧରେ ଅପରାଧୀ କାମଦେବ ମହାଦେବଙ୍କ କ୍ରୋଧାଗ୍ନିରେ ସମୂଳେ ଭଗ୍ନୀଭୂତ ହୋଇଯାଇଛନ୍ତି । ତେଣୁ ସେହିଦିନଠାରୁ କାମଦେବ ହୋଇଛନ୍ତି ଅତନୁ । ତାଙ୍କର ଆମ୍ବତ୍ୟାଗ ବଳରେ ଶିବ ଏବଂ ଶକ୍ତିଙ୍କର ହୋଇଛି ମିଳନ । ଦେବତାମାନେ ହୋଇଛନ୍ତି ଆଶ୍ବସ୍ତ । ସୃଷ୍ଟିର ସଙ୍କଟ ଦୂରୀଭୂତ ହୋଇଛି । ଅତଏବ ଶୀତଳଷଷ୍ଠୀର ପରମ୍ପରା ହେଉଛି ଶିବ ଏବଂ ଶକ୍ତିଙ୍କର ମହାମିଳନର ପରମ୍ପରା ।
କେତେକ କହନ୍ତି, ଶିବଙ୍କର ଜ୍ବଳନ ଶକ୍ତି ମାଘ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀଠାରୁ ଆରମ୍ଭ ହୁଏ । ଅର୍ଥାତ୍, ସେ ଏହି ଦିବସରୁ ପ୍ରସ୍ତୁତ ହୁଅନ୍ତି ମନର ସମସ୍ତ କାମନା, ବାସନା, ମୋହ ଓ ଆସକ୍ତିକୁ ଜାଳି ପୋଡ଼ି ଦେଇ ପୂର୍ଣ୍ଣ ସଂଯମର ସହିତ କାଳାତିପାତ କରିବାକୁ । ତାହାର ପ୍ରଶମନ ହୁଏ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ । ତେଣୁ ଏହି ଦିବସଟି ଉତ୍ସବର ତାଲିକାରେ ‘ଶୀତଳ ଷଷ୍ଠୀ’ ନାମରେ ତାଲିକାଭୁକ୍ତ ।
ପାଳନ ବିଧ : ଉତ୍ସବର ଉଦ୍ବେଳ ଆନନ୍ଦ ମଧ୍ୟରେ କି ଧନୀ, କି ଦରିଦ୍ର, କି ମାଲିକ, କି ଭୃତ୍ୟ ସମସ୍ତେ ଏକମନ ଓ ଏକଆମ୍ବା ହୋଇ ହଜି ଯାଆନ୍ତି । ସହର ବଜାରଠାରୁ ଆରମ୍ଭ କରି ସୁଦୂର ପଲ୍ଲୀ ପର୍ଯ୍ୟନ୍ତ ଉତ୍ସବର ଉତ୍କଣ୍ଠା ସମସ୍ତଙ୍କ ପ୍ରାଣକୁ ସ୍ପର୍ଶ କରିଯାଏ । ସାଧ୍ୟମରେ ଲୋକମାନେ ନିଜ ନିଜ ମଧ୍ୟରୁ ଚାନ୍ଦା ସଂଗ୍ରହ କରି ମୂର୍ତ୍ତି ଗଠନ କରନ୍ତି । ଜ୍ୟେଷ୍ଠ ଶୁକ୍ଳ ଦ୍ବିତୀୟାଠାରୁ ଏହି ଉତ୍ସବର ଶୁଭାରମ୍ଭ ହୋଇ ଅଷ୍ଟମୀ ଦିନ ସମାପନ ହୁଏ । ବୈଦିକ ରୀତିନୀତି ଅନୁଯାୟୀ ଶିବ ପାର୍ବତୀଙ୍କର ପରିଣୟ କାର୍ଯ୍ୟ ସମ୍ପାଦିତ ହୁଏ । ଶୋଭାଯାତ୍ରାରେ ବହୁଲୋକଙ୍କର ସମାରୋହ ହୁଏ । ବିରାଟ ଆଡ଼ମ୍ବର, ସାଜସଜା, ନୃତ୍ୟଗୀତ, ବାଦ୍ୟନି ଇତ୍ୟାଦିରେ ଉତ୍ସବ ସ୍ଥାନ ମୁଖରିତ ହୋଇଉଠେ । ସବୁରି ପ୍ରାଣରେ ଆନନ୍ଦର ଆଲୋଡ଼ନ, ମୁଖରେ ତୃପ୍ତିର ଆଭାସ ଓ ପ୍ରାଣରେ ଏକ ସାଜ୍ଜିକ ଓ ପାରମାର୍ଥିକ ଚିନ୍ତାର ପରିପ୍ରକାଶ । ଘରେ ଘରେ ବନ୍ଧୁ ପରିଜନ ଓ ଅତିଥିମାନଙ୍କର ସମେଳନ ଉତ୍ସବର ପରିବେଶକୁ ଆହୁରି ରମଣୀୟ କରେ ।
ଶୀତଳ ଷଷ୍ଠୀ ପର୍ବର ପ୍ରାଥମିକ ଆୟୋଜନ ଆରମ୍ଭ ହୁଏ ବୈଶାଖ ମାସ ଶୁକ୍ଳପକ୍ଷ ଅକ୍ଷୟ ତୃତୀୟାଠାରୁ । ଏହି ଦିନ ‘ଥାଳିଉଠା’ ବିଧ ସମାପନ ପୂର୍ବକ ଯାତ୍ରା ପାଇଁ ଚାନ୍ଦା ସଂଗ୍ରହର ଶୁଭାରମ୍ଭ ହୁଏ । ଶିବ ପାର୍ବତୀଙ୍କର ବିବାହ ଉପଲକ୍ଷେ କନ୍ୟାପିତା ଓ ବରପିତାର ଭୂମିକା ଗ୍ରହଣ କରି ସେ ସମ୍ବନ୍ଧୀୟ ଖର୍ଚ୍ଚ ବହନ କରିବା ନିମନ୍ତେ ବହୁ ପୂର୍ବରୁ ଆଗ୍ରହୀ ଭକ୍ତମାନଙ୍କ ମଧ୍ୟରୁ କାହାରିକୁ ମନୋନୀତ କରାଯାଇଥାଏ । ମନେହୁଏ ସତେ ଯେପରି ପାର୍ବତୀ ନିଜର ପରିଣୟ ନିମନ୍ତେ ମାନବପୁତ୍ର ଓ ମାନବପୁତ୍ରୀ ରୂପରେ ପୃଥିବୀକୁ ଓହ୍ଲାଇ ଆସିଛନ୍ତି । ଜ୍ୟେଷ୍ଠ ଶୁକ୍ଳ ତୃତୀୟାଠାରୁ ଯାତ୍ରା ଆରମ୍ଭ ହୋଇ ସପ୍ତମୀ ତିଥିରେ ପରିସମାପ୍ତି ଘଟେ । ତୃତୀୟା ଦିନ ନିର୍ବନ୍ଧ କାର୍ଯ୍ୟ ସମ୍ପାଦନ କରି ପର୍ବ ଆରମ୍ଭ କରାଯାଏ । ପଞ୍ଚମୀ ତିଥିରେ ମହାଦେବଙ୍କୁ ଜଳ ଓ କ୍ଷୀରରେ ଅଭିଷେକ କରାଯାଏ । ସେହିଦିନ ରାତ୍ରିରେ ଭକ୍ତମାନେ ବରଯାତ୍ରୀ ସାଜି ମହାଦେବଙ୍କ ଶ୍ବଶୁରାଳୟକୁ ଯାତ୍ରା କରନ୍ତି । ସୁସଜ୍ଜିତ ମେଢ଼ରେ ଶିବଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରି ଅତ୍ୟନ୍ତ ଆଡ଼ମ୍ବରପୂର୍ବ ଶୋଭାଯାତ୍ରାରେ ତାଙ୍କୁ ନିଆଯାଏ । ଶଙ୍ଖ, ଘଣ୍ଟା ବାଦ୍ୟ ସହିତ ଘୁମୁରା ନାଚ, ବାଘ ନାଚ, ବାଇ ନାଚ ଇତ୍ୟାଦି ପରିବେଶକୁ ବେଶ୍ ଆନନ୍ଦମୁଖର କରେ । ସପ୍ତମୀ ଦିନ ବିବାହ କାର୍ଯ୍ୟ ସମାପନ କରାଯାଏ । ଲୌକିକ ଉତ୍ସବ ଭଳି ବରଯାତ୍ରୀମାନେ କନ୍ୟାପିତାଙ୍କ ଗୃହରେ ଭୋଜନ କରି ସ୍ଵସ୍ଥାନକୁ ପ୍ରତ୍ୟାବର୍ତ୍ତନ କରନ୍ତି ।
ଉପାଦେୟତା : ହରପାର୍ବତୀଙ୍କର ବିବାହକୁ କେନ୍ଦ୍ରକରି ଗଢ଼ିଉଠିଥିବା ଏହି ଉତ୍ସବର ଉପାଦେୟତା ନ୍ୟୁନ ନୁହେଁ । ଆମର ସାମାଜିକ ଜୀବନ କେବଳ ବୈବାହିକ ସମ୍ବନ୍ଧ ବଳରେ ହିଁ ସୁସ୍ତ, ସଂହତି ଓ ଦୃଢ଼ୀଭୂତ ହୋଇଛି । ବିବାହର ଆଦର୍ଶ, ପରିବାରର ମହତ୍ତ୍ବ ଓ ଜୀବନରେ ନିର୍ଦ୍ଦିଷ୍ଟ ନୀତି ନିୟମ ଅନୁସରଣ କରିବାର ଉପାଦେୟତାକୁ ହୃଦୟଙ୍ଗମ କରିବା ହେଉଛନ୍ତି ଏହି ଉତ୍ସବର ତାତ୍ପର୍ଯ୍ୟ । ପାଶ୍ଚାତ୍ୟ ଜୀବନରେ ଆଜି ଯେତେ ପ୍ରକାର ଅଶାନ୍ତି, ଅସନ୍ତୋଷ, ଅସ୍ଥିରତା ଓ ଭ୍ରଷ୍ଟାଚାର ଇତ୍ୟାଦି ଦେଖା ଦେଇଛି, ତାହାର କାରଣ ହେଉଛି ପାରିବାରିକ ଜୀବନରେ ସଂହତି, ଶୃଙ୍ଖଳା ଓ ପବିତ୍ରତାର ଅଭାବ । ଯେଉଁ ସମାଜରେ ପାରିବାରିକ ସଂହତି ଯେତେ ଜଣା, ସେ ସମାଜରେ ସ୍ନେହର ବନ୍ଧନ ସେତେ ଶିଥିଳ । ଯୋଗୀ ହେଲେ ମଧ୍ୟ ଶିବଙ୍କର ପରିବାର ହେଉଛି ବିଶ୍ୱରେ ଏକ ଆଦର୍ଶ ପରିବାର । ଗୋଟିଏ ପରିବାରକୁ ଆଶ୍ରୟ କରି ସିଂହ-ବୃଷଭ, ସର୍ପ-ମୟୂର ଓ ମୂଷିକ ଇତ୍ୟାଦି ଶାନ୍ତିପୂର୍ଣ୍ଣ ଭାବରେ ସହାବସ୍ଥାନ କରିଥିବା ଏକ ଚମତ୍କାର ଉଦାହରଣ । ଅପର ପକ୍ଷରେ ଗଣେଶ ହେଉଛନ୍ତି ବିଦ୍ୟାର ଅବତାର, କାର୍ତ୍ତିକ ହେଉଛନ୍ତି ଶାନ୍ତି ଓ ସୌନ୍ଦର୍ଯ୍ୟର ପ୍ରତୀକ, ପାର୍ବତୀ ହେଉଛନ୍ତି ବିଶ୍ବମାତା । ସ୍ଵୟଂ ମହାଦେବ ନିର୍ଲିପ୍ତ, ନିର୍ବିକାର ଓ ନିଷ୍ଠାମ ପୁରୁଷ। ଶିବ ବିବାହର ଶୁଭ ଅବସରରେ ଏଭଳି ଆଦର୍ଶ ହିନ୍ଦୁ ଗୃହସ୍ଥମାନଙ୍କ ପକ୍ଷେ ଅନୁକରଣୀୟ। ହର-ପାର୍ବତୀ ବିବାହ ପରମ୍ପରାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଶିବ ଓ ଶକ୍ତିର ମହାମିଳନ । ଶିବ ଓ ଶକ୍ତି ବା ପ୍ରକୃତି ଓ ପୁରୁଷ ଏହାଙ୍କର ମିଳନରୁ ହିଁ ସୃଷ୍ଟି ସମ୍ବୁତ । ତେଣୁ ସୃଷ୍ଟି ପ୍ରକ୍ରିୟାର ଏହି ନିଗୂଢ଼ ରହସ୍ୟକୁ ଅବଜ୍ଞା କରିବା ସହଜ ନୁହେଁ ।
ଏସବୁ ବ୍ୟତୀତ କର୍ମକ୍ରାନ୍ତ କୃଷିକାରୀ ମାନବ ପାଇଁ ନାନା ପର୍ବପର୍ବାଣିର ଆବଶ୍ୟକତା ଅପରିହାର୍ଯ୍ୟ । କଠିନ କୃଷି କର୍ମରେ ବ୍ୟାପୃତ ହେବା ପୂର୍ବରୁ ବା କୃଷିକାର୍ଯ୍ୟରୁ ଅବ୍ୟାହତି ନେବା ପରେ ମନୁଷ୍ୟର ଆବଶ୍ୟକ ହୋଇଥାଏ ସାମୟିକ ଚିତ୍ତବିନୋଦନ । ଜ୍ୟେଷ୍ଠମାସର ଶୀତଳ ଶେଷାର୍ଦ୍ଧରେ ଆଦ୍ୟ ବାରିବହ ଯେତେବେଳେ ଦିଗବଳୟ ଧାରରେ ଆବିର୍ଭୂତ ହୋଇ ନୂତନ ସୃଜନର ବେଣୁବାଦନ କରେ, କୃଷକ ସେତେବେଳେ ନିଜକୁ ପ୍ରସ୍ତୁତ କରିନିଏ, ଆଗାମୀ ରତୁର ଶସ୍ୟରୋପଣ ନିମନ୍ତେ । ସୁତରାଂ ଶୀତଳଷଷ୍ଠୀ ଭଳି ଏକ ସପ୍ତାହବ୍ୟାପୀ ପାର୍ବଣର ଆନନ୍ଦଉଲ୍ଲାସ ମଧ୍ୟରେ ହଜିଯାଇ ଆଗାମୀ ସମୟ ପାଇଁ ସେ ଶକ୍ତି ସଂଗ୍ରହ କରିନିଏ । ଶ୍ରମ ଓ ସାଧନା ପାଇଁ ସତେ ଯେପରି ଏଇଥିରୁ ସେ ଲାଭ କରେ ଶକ୍ତି, ପ୍ରେରଣା ଓ ଉତ୍ସାହ ।
ଶେଷ କଥା : ପାରମ୍ପରିକ ପ୍ରବାହ କ୍ରମେ ପାଳିତ ହୋଇ ଆସୁଥିବା ‘ଶୀତଳଷଷ୍ଠୀ’ ପଶ୍ଚିମ ଓଡ଼ିଶାର ଏକ ପ୍ରଧାନ ପର୍ବ । ସମ୍ବଲପୁର ଓ ବରପାଲି ପ୍ରଭୃତି ବହୁ ସ୍ଥାନରେ ଏହା ଅଶେଷ ଉତ୍ସାହ ଓ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୁଏ । ଆନନ୍ଦର କଥା, ଆଜିର ଜଡ଼ବାଦୀ ବୈଜ୍ଞାନିକ ଯୁଗରେ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ପ୍ରତିଭୁ ଏହି ଭାରତ ଭୂମିର ସନ୍ତାନମାନେ ସେମାନଙ୍କର ଐତିହ୍ୟକୁ ଏହିଭଳି କ୍ଷୁଦ୍ର ବୃହତ୍ ବହୁ ପର୍ବ ମଧ୍ୟରେ ବାନ୍ଧି ରଖୁଛନ୍ତି । ମନୁଷ୍ୟ ଭଳି ବଞ୍ଚ ରହିବା ପାଇଁ ଆଧାୟିକ ଚିନ୍ତନ ଓ ପାରମାର୍ଥିକ ଭାବ ଯେତିକି ଉପାଦେୟ, ସାମାଜିକ ସଂହତି ନିମନ୍ତେ ତାହା ସେତିକି ଅପରିହାର୍ଯ୍ୟ । ଶୀତଳଷଷ୍ଠୀ ହେଉଛି ସେହି ଭାବର ଦ୍ୟୋତକ, ସେହି ପରମ୍ପରାର ବାହକ ।
COMMENTS