Essay on Festivals of Odisha in Odia Language : In this article " ଉତ୍କଳର ପର୍ବପର୍ବାଣି ରଚନା ", " utkala ra parba parbani odia e...
Essay on Festivals of Odisha in Odia Language: In this article "ଉତ୍କଳର ପର୍ବପର୍ବାଣି ରଚନା", "utkala ra parba parbani odia essay" for students of class 5, 6, 7, 8, 9, and 10.
Odia Essay on "Festivals of Odisha", "ଉତ୍କଳର ପର୍ବପର୍ବାଣି ରଚନା" for Students
ଉପକ୍ରମ : କର୍ମକ୍ରାନ୍ତ, ଦୁଃଖ ଓ ଦୈନ୍ୟାହତ ଉତ୍କଳୀୟ ସାମାଜିକ ଜୀବନରେ ଋତୁଚକ୍ରର ଆବର୍ଭନ କ୍ରମେ କେଉଁ ସୁଦୂର ଅତୀତ କାଳରୁ ପାଳିତ ହୋଇଆସୁଛି ନାନାବିଧ ଉତ୍ସବ ଓ ମହୋତ୍ସବ । ନିସର୍ଗର ବୈବିଧ୍ୟ ଭଳି ଗୋଟିଏ ପରେ ଗୋଟିଏ ଅସଂଖ୍ୟ ପର୍ବପର୍ବାଣି ଓହ୍ଲାଇ ଆସନ୍ତି ରୂପ, ରସ, ଗନ୍ଧ ଓ ଛନ୍ଦର ଅଫୁରନ୍ତ ଫୁଆର ନେଇ । ଜୀବନର ଚଞ୍ଚଳ ଆବେଗରେ ଆବାଳ-ବୃଦ୍ଧ-ବନିତା ବ୍ୟାକୁଳ ହୋଇ ଉଠନ୍ତି ସେଗୁଡ଼ିକୁ ପ୍ରାଣଭରି ଉପଭୋଗ କରିନେବାକୁ । ପୁରପଲ୍ଲୀର ପ୍ରତି ଗୃହ ଓ ପ୍ରତି ପରିବାରରେ ଏକ ଅପୂର୍ବ ଉନ୍ମାଦନା ଜାଗିଉଠେ । ଏହା ଫଳରେ ସାମାଜିକ ଜୀବନ ହୁଏ ସୁନ୍ଦର ଓ ମଧୁର । ବ୍ୟକ୍ତି ଜୀବନ ହୁଏ ସରସ ଓ ସୌହାର୍ଘ୍ୟମୟ ।
ପର୍ବପର୍ବାଣିର ପ୍ରକାର ଭେଦ : କୃଷି କୈନ୍ଦ୍ରିକ ମାନବ ସଭ୍ୟତାରେ କୃଷି ହିଁ ହେଉଛି ଜୀବନଜୀବିକାର ପ୍ରଧାନ ଧାରକ । ଯୁଗ ଯୁଗ ଧରି କୃଷି ହିଁ ଆମ ସାମାଜିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରି ଆସିଛି । ଫଳରେ କୃଷିକୁ କେନ୍ଦ୍ରକରି ଗଢ଼ିଉଠିଛି ବହୁ ପର୍ବପର୍ବାଣି ଓ ସାମାଜିକ ମିଳନୋତ୍ସବ । ବୈଶାଖ ମାସର ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି ପରବର୍ତ୍ତୀ ମାସଗୁଡ଼ିକରେ ରଜସଂକ୍ରାନ୍ତି, ଗର୍ଭଣା ସଂକ୍ରାନ୍ତି, ଚିତାଲାଗି ଅମାବାସ୍ୟା, ଗହ୍ମାପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ, ନବାନ୍ନ ଭକ୍ଷଣ, ମାଣବସା, ଲକ୍ଷ୍ମୀପୂଜା, ଧନୁ ସଂକ୍ରାନ୍ତି, ବକୁଳ ଅମାବାସ୍ୟା, ଅଗ୍ନିଉତ୍ସବ ଇତ୍ୟାଦି ପର୍ବଗୁଡ଼ିକ କୃଷିକୁ କେନ୍ଦ୍ରକରି ସୃଷ୍ଟି ହୋଇଛି । ଏତଦ୍ବ୍ୟତୀତ ଧାର୍ମିକ ଭାବନାବଶତଃ ବହୁ ପ୍ରାଚୀନ କାଳରୁ ଦେବଦେବୀଙ୍କର ପୂଜାକୁ ନେଇ ଅସଂଖ୍ୟ ପର୍ବ ପାଳିତ ହୋଇ ଆସୁଛି । ରାମନବମୀ, ରାଧାଷ୍ଟମୀ, କୃଷ୍ଣଜନ୍ମ, ଶୀତଳଷଷ୍ଠୀ, ଦୁର୍ଗାପୂଜା, ଗଣେଷ ଚତୁର୍ଥୀ ଓ ଶ୍ରୀପଞ୍ଚମୀ ଇତ୍ୟାଦି ହେଉଛି ଏହି ଶ୍ରେଣୀୟ ପର୍ବ । ଅନ୍ୟାନ୍ୟ ସଂପ୍ରଦାୟର ଇଦୁଲ ଫିତର, ମହରମ ଓ ବଡ଼ଦିନ ଭଳି ପର୍ବ ଏହି କାରଣରୁ ପାଳିତ ହୋଇଥାଏ । ଋତୁଚକ୍ରର ଆବର୍ତ୍ତନ ମଧ୍ୟରେ ଶରତ, ବସନ୍ତ, ଗ୍ରୀଷ୍ମ ଇତ୍ୟାଦି ଭିନ୍ନ ଭିନ୍ନ ଋତୁ ମନୁଷ୍ୟର ଦେହ ମନରେ ଯେଉଁ ଏକ ନୂତନ ପୁଲକ ସୃଷ୍ଟିକରି ଧରଣୀରେ ଆବିର୍ଭୁତ ହୁଅନ୍ତି, ତାହାକୁ ନେଇ ମଧ୍ୟ କମ୍ ପର୍ବ ସୃଷ୍ଟି ହୋଇନାହିଁ । ଶାରଦୋତ୍ସବ, ବସନ୍ତୋତ୍ସବ, ଚନ୍ଦନଯାତ, ପଣାସଂକ୍ରାନ୍ତି ଭଳି ପର୍ବର ସୃଷ୍ଟି ଏହି କାରଣରୁ ହୋଇଅଛି ।
ଆଧୁନିକ କାଳରେ ସ୍ଵାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ବିଭିନ୍ନ ରାଷ୍ଟ୍ରୀୟ ନେତାମାନଙ୍କର ଜନ୍ମ ଓ ମୃତ୍ୟୁ ଦିବସକୁ ଜାତୀୟ ଉତ୍ସବ ଭାବରେ ପାଳନ କରାଯାଉଛି । ଉତ୍ସବର ବିଭିନ୍ନତା ସହିତ ସେଗୁଡ଼ିକର ବିଧ ବିଧାନ ଓ ଆଡ଼ମ୍ବରରେ ମଧ୍ୟ ବିଭିନ୍ନତା ଦେଖାଦେଇଥାଏ ।
ଉତ୍ସବର ପରମ୍ପରା ଓ ଇତିହାସ : ଉତ୍କଳୀୟ ପର୍ବପର୍ବାଣିର ଇତିହାସ ସୁପ୍ରାଚୀନ ଅଟେ । ଖ୍ରୀଷ୍ଟୀୟ ନବମ ଶତାବ୍ଦୀ ପୂର୍ବରୁ ପୁରୀ ଧାମରେ ରଥଯାତ୍ରାର ପ୍ରଚଳନ ଥିବାର କୁହାଯାଏ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ଅନୁଷ୍ଠିତ ହେଉଥିବା ଏହି ଉତ୍ସବଟି ଆଜି କେବଳ ଭାରତରେ ନୁହେଁ, ଭାରତ ବାହାରେ ଅନ୍ୟାନ୍ୟ କେତେ ଦେଶରେ ମଧ୍ୟ ଅନୁଷ୍ଠିତ ହେଉଛି । ପୁରାଣ ଯୁଗର ରାଜପୁତ୍ର ସତ୍ୟବାନ ଏବଂ ତାଙ୍କର ପତିବ୍ରତା ନାରୀ ସାବିତ୍ରୀଙ୍କର ଅମର କାହାଣୀକୁ ନେଇ ଗଢ଼ିଉଠିଛି ସାବିତ୍ରୀ ବ୍ରତ । ଅତୀତରେ ଜ୍ୟେଷ୍ଠ କୃଷ୍ଣ ତ୍ରୟୋଦଶୀଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ସଧବା ରମଣୀମାନେ ଏହାକୁ ପାଳନ କରୁଥିଲେ । ଅଧୁନା ଏହି ବ୍ରତଟି କେବଳ ଅମାବାସ୍ୟା ଦିନ ପାଳନ କରାଯାଉଛି ।
ଜ୍ୟେଷ୍ଠ ମାସର ଶେଷଦିନ ଓ ଆଷାଢ଼ ମାସର ପ୍ରଥମ ଦୁଇ ଦିନ ଏଇଭଳି ତ୍ରିଦିବସବ୍ୟାପୀ ପାଳନ କରାଯାଉଥିବା ରଜପର୍ବ ଓଡ଼ିଶାର ଏକ ପ୍ରଧାନ ପର୍ବ ଭାବରେ ବିବେଚିତ । ସୋମବଂଶୀୟ ରାଜାମାନଙ୍କ ସମୟରୁ ଏହି ପର୍ବ ପାଳିତ ହୋଇ ଆସୁଥିବାର ଜଣାଯାଏ । ଏତଦ୍ବ୍ୟତୀତ ଜନ୍ମାଷ୍ଟମୀ, ବାଲିତୃତୀୟା,ଶିବଚତୁର୍ଦ୍ଦଶୀ, ଋଷିପଞ୍ଚମୀ, ଇନ୍ଦ୍ରପୂର୍ଣ୍ଣିମା ଇତ୍ୟାଦି ପର୍ବଗୁଡ଼ିକ ସୁପ୍ରାଚୀନ ଅଟେ । ଭାଦ୍ର ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥରେ ଉତ୍କଳର ଶିକ୍ଷାନୁଷ୍ଠାନମାନଙ୍କରେ ସାର୍ବଜନୀନଭାବେ ପାଳିତ ହେଉଥିବା ଗଣେଶ ଚତୁର୍ଥୀକୁ ଏକ ବିଶିଷ୍ଟ ପର୍ବ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରାଚୀନ କାଳରେ ଏହି ଦିନ କେବଳ ଶିବପାର୍ବତୀଙ୍କର ପୂଜାର ବ୍ୟବସ୍ଥା ଥିଲା. । ଓଡ଼ିଶାରେ ଗଙ୍ଗବଂଶୀୟ ରାଜାଙ୍କର ଶାସନ କାଳରେ ଏଇଟି ଗଜାନନ ପୂଜାରେ ରୂପାନ୍ତରିତ ହେଲା । ସେଇଭଳି ଶିକ୍ଷାନୁଷ୍ଠାନ ସଂପର୍କିତ ପର୍ବ ଶ୍ରୀପଞ୍ଚମୀ ବା ସରସ୍ୱତୀ ପୂଜା ମଧ୍ୟ ଆଧୁନିକ କାଳରେ ଏକ ସାର୍ବଜନୀନ ପୂଜାର ରୂପ ଧାରଣ କରିଛି । ଏହି ଦିନ ବିଦ୍ୟାର୍ଥୀ ଭକ୍ତବୃନ୍ଦ ଶୁଦ୍ଧପୂତ ହୃଦୟରେ ଜ୍ଞାନବିଧାୟିନୀ ଦେବୀ ବୀଣାପାଣିଙ୍କୁ ଆରାଧନା କରି ବିଦ୍ୟା ପ୍ରାର୍ଥନା କରନ୍ତି । ଆଶ୍ଵିନ ମାସର କୌମୁଦୀ ପୂର୍ଣ୍ଣିମା ବା କୁଆଁର ପୁନୈଇ ସହିତ ବହୁ ଆକାଂକ୍ଷିତ ଓ ବହୁ ପ୍ରତୀକ୍ଷିତ ଦଶହରା ଉତ୍ସବରେ ମହାମାୟୀ ଦୁର୍ଗାଙ୍କର ଆରାଧନା ଏକ ଜାତୀୟ ପର୍ବ ଅଟେ । କୌମୁଦୀ ଚଚ୍ଚିତ ଶାରଦୀୟ ରଜନୀର ପୂର୍ଣ୍ଣମୀ ତିଥିରେ ଗ୍ରାମ୍ୟ କୁମାରୀମାନଙ୍କର ସମ୍ମଳତ କଣ୍ଡର ମଧୁର ସଙ୍ଗୀତର ମୂର୍ଚ୍ଚନା ପଲ୍ଲୀ ପରିବେଶକୁ ବେଶ୍ ମଧୁର କରେ । କାର୍ତ୍ତିକ ମାସର ଅମାବାସ୍ୟା ରାତ୍ରିରେ ଉତ୍କଳୀୟମାନେ ଦୀପାବଳୀ ଜାଳି ପୂର୍ବପୁରୁଷମାନଙ୍କୁ ଅର୍ଘ୍ୟ ନିବେଦନ କରନ୍ତି । ଏହା ହେଉଛି ଏକ ପାରମ୍ପରିକ ପ୍ରାଚୀନ ପର୍ବ । ସେଇଭଳି କାର୍ତ୍ତିକ ପୂର୍ଣ୍ଣିମା ହେଉଛି ଉତ୍କଳର ଅନ୍ୟତମ ପବିତ୍ର ଦିବସ । ପୁରପଲ୍ଲୀରେ ଲୋକମାନେ ସମଗ୍ର ମାସଟି କାର୍ତ୍ତିକ ବ୍ରତ ପାଳନ କରନ୍ତି ଏବଂ ତା’ର ପରିସମାପ୍ତି ଘଟେ ଏହି ପୂର୍ଣ୍ଣମୀ ତିଥିରେ । ଶୈବପୀଠମାନଙ୍କରେ ଆଡ଼ମ୍ବର ସହକାରେ ଏହି ପର୍ବଟିକୁ ପାଳନ କରାଯାଏ । ବିଧବା ନାରୀମାନେ ମାସଟିଯାକ ହବିଷାନ୍ନ ଖାଇ ନିଷ୍ଠାପର ଭାବରେ ଜୀବନ ଅତିବାହିତ କରିଥାଆନ୍ତି । ପୂର୍ଣ୍ଣମୀ ଦିନ ପ୍ରତ୍ୟୁଷରୁ ମହିଳାମାନେ ସ୍ନାନ ସାରି କଦଳୀ ପଟୁଆରେ ଡଙ୍ଗା ଭସାଇ ବୋଇତ ବନ୍ଦାଣ କରନ୍ତି । ଏହା ହେଉଛି ପ୍ରାଚୀନ ଉତ୍କଳର ନୌବାଣିଜ୍ୟର ଏକ ସ୍ମାରକୀ । ଏହି ଅବସରରେ କଟକରେ ଅନୁଷ୍ଠିତ ହେଉଥିବା ସପ୍ତାହବ୍ୟାପୀ ବାଲିଯାତ୍ରା ଉତ୍ସବ ପରିବେଶକୁ ବହୁ ଗୁଣରେ ଆମୋଦିତ କରିଥାଏ ।
ପୌଷମାସଟି ହେଉଛି କୃଷକ ପରିବାରରେ ପ୍ରାଣ ଓ ପ୍ରାଚୁର୍ଯ୍ୟର ମାସ । କୃଷକ ଗୃହିଣୀ ଶୁକ୍ଳଧାନ୍ୟରେ ମାଣ୍ୟ ସ୍ଥାପନ କରି ହୃଦୟର ଗଭୀର କୃତଜ୍ଞତାକୁ ଅଜାଡ଼ି ଦିଏ ମାଆ ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ । କବି ବନ୍ଦନା କରି ଗାଏ
“ସ୍ଵାଗତ ଲକ୍ଷ୍ମୀ ପଉଷ
ଘରେ ଘରେ ତୁମେ ଆଣିଛି ଅନ୍ନ ଆୟୁଷ ।"
ପୌଷ ପୂର୍ଣ୍ଣମୀ ଦିନ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଆଡ଼ମ୍ବର ସହିତ ପୁଷ୍ୟାଭିଷେକ ଉତ୍ସବ ପାଳନ କରାଯାଏ । ଶୀତରତୁକୁ ବିଦାୟ ଦେବା ସଙ୍ଗେ ସଙ୍ଗେ ବସନ୍ତକୁ ସ୍ଵାଗତ କରିବାକୁ ଯାଇ ଗ୍ରାମେ ଗ୍ରାମେ ମାଘ ପୂର୍ଣ୍ଣମୀ ଦିନ ପାଳିତ ହୁଏ ଅଗ୍ନିଉତ୍ସବ । ପଲ୍ଲୀ ବାଳକମାନେ ଅପୂର୍ବ ଆନନ୍ଦ, ଆବେଗ ଓ କୌତୁକତା ପୃରେ ହଜିଯାଇ ସୁର ଧରନ୍ତି “ଅଗି ଜଳିଲା, ଶୀତ ଟଳିଲା...... ।”
ଫାଲଗୁନ ମାସର ଦୋଳଯାତ୍ରା ଏବଂ ହୋଲି ଖେଳ ହେଉଛି ଏକ ସର୍ବଭାରତୀୟ ପର୍ବ । ଉତ୍ତର ଭାରତରେ ଏହା ଅଧିକ ଉତ୍ସାହ ଏବଂ ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ । ଓଡ଼ିଶାରେ ଷୋଡ଼ଶ ଶତାବ୍ଦୀରେ ଶ୍ରୀ ଚୈତନ୍ୟଙ୍କ ଆଗମନ ଫଳରେ ବୈଷ୍ଣବ ଧର୍ମର ପ୍ରଚାର ଓ ପ୍ରସାର ଘଟିଥିଲା । ୧୫ ୧୦ ମସିହାର ଦୋଳପୂର୍ଣ୍ଣିମୀ ଦିନ ସେ ଆସି ପୁରୀରେ ପଦାର୍ପଣ କରିଥିଲେ । ତାଙ୍କର ଉତ୍କଳ ଆଗମନର ସ୍ମାରକୀ ସ୍ଵରୂପ ଦୋଳପୂର୍ଣ୍ଣମୀ ଦିନ ପୁରପଲ୍ଲୀରେ ମେଳନ ଯାତ ଅନୁଷ୍ଠିତ ହୋଇଥାଏ । ଶ୍ରୀକୃଷ୍ଣଙ୍କର ଦାୟାଦ ଭାବରେ ଏହି ଉତ୍ସବରେ ଗୋପାଳମାନେ ଶିଙ୍ଗା ବଜାଇ ନଉଡ଼ି ଖେଳି ପରିବେଶକୁ ଅଧୁକ ଉପଭୋଗ୍ୟ କରିଥାଆନ୍ତି । ଏଗୁଡ଼ିକ ସହିତ ବର୍ଷ ମଧ୍ୟରେ ଓଡ଼ିଶାରେ ଛୋଟ ବଡ଼ ଅନେକଗୁଡ଼ିଏ ପର୍ବପର୍ବାଣି, ଓଷାବ୍ରତ ପାଳନ କରାଯାଏ । ଦ୍ଵିତୀୟା ଓଷା, ଜହ୍ନି ଓଷା, ଚିତାଲାଗି ଅମାବାସ୍ୟା, ଗହ୍ମା ପୂର୍ଣ୍ଣମୀ ବା ରାକ୍ଷୀ ପୂର୍ଣ୍ଣିମା, ଜନ୍ମାଷ୍ଟମୀ, ବାଲିତୃତୀୟା, ଶିବ ଚତୁର୍ଥୀ, ସୋମନାଥ ବ୍ରତ, ଇନ୍ଦ୍ର ପୂର୍ଣ୍ଣିମା ସର୍ବୋପରି କୁମାରୀ କନ".ମାନଙ୍କର ଖୁଦୁରୁକୁଣୀ ଓଷା ଏହି ପର୍ବଗୁଡ଼ିକ ମଧ୍ୟରେ ଉଲ୍ଲେଖଯୋଗ୍ୟ । ବର୍ଷାଋତୁ ଭଳି ଶୀତରତୁ ମଧ୍ୟ ଉତ୍କଳର ସାମାଜିକ ଜୀବନରେ ଉତ୍ସବ ମୁଖର ଅଟେ । ଅଁଳା ନବମୀ, ପ୍ରଥମାଷ୍ଟମୀ, ନବାନ୍ନ ଭକ୍ଷଣ, ସୁନିଆଁ, ଶାମ୍ବ ଦଶମୀ, ପଣ୍ଡୁ ଓଷା, ବାଟ ଓଷା ଇତ୍ୟାଦି ପର୍ବଗୁଡ଼ିକ ଜନଜୀବନକୁ ସଜୀବ ଓ ସରସ କରିଥାଏ ।
ପଶ୍ଚିମ ଓଡ଼ିଶାରେ ନୂଆଖାଇ, ଶୀତଳଷଷ୍ଠୀ ଓ ବରଗଡ଼ ସହରରେ ପାଳିତ ହେଉଥିବା ସପ୍ତାହ ବ୍ୟାପୀ ମୁକ୍ତାକାଶ ଧନୁଯାତ୍ରା ବେଶ୍ ଆଗ୍ରହ ଓ ଉତ୍ସାହ ସୃଷ୍ଟି କରିଥାଏ । ନୂଆଖାଇ ପର୍ବଟି ସମ୍ପୁର୍ଣ କୃଷିଭିତ୍ତିକ ହୋଇଥିବା ସ୍ଥଳେ ଶୀତଳଷଷ୍ଠୀ ପର୍ବଟି ଶିବପାର୍ବତୀଙ୍କ ବିବାହ ପ୍ରସଙ୍ଗ ଏବଂ ଧନୁଯାତ୍ରା ପୁରାଣର କଂସ ଚରିତ୍ରକୁ ନେଇ ଗଢ଼ି ଉଠିଛି ।
ପର୍ବପର୍ବାଣିର ସାମାଜିକ ଉପଯୋଗିତା : ଆନନ୍ଦ ଓ ଉତ୍ସବପ୍ରିୟ ରସପିପାସୁ ମାନବ ପ୍ରାଣର ପରିତୋଷ ନିମନ୍ତେ କେଉଁ ଅତୀତ କାଳରୁ ସୃଷ୍ଟି ହୋଇଛି ପର୍ବପର୍ବାଣି, ମେଳା ଓ ମହୋତ୍ସବ ଇତ୍ୟାଦି । କର୍ମକ୍ଲାନ୍ତ, ଅବସାଦଗ୍ରସ୍ତ ଜୀବନରେ ଏଗୁଡ଼ିକ ଆଣିଦିଏ ଅପୂର୍ବ ଶାନ୍ତି ଓ ପ୍ରତିଷ୍ଠା କରେ ପାରସ୍ପରିକ ସୌହାର୍ଘ୍ୟ । ଗୋଷ୍ଠୀଜୀବନ ମଧୁମୟ ଓ ଉପଭୋଗ୍ୟ ହୋଇଛି ପର୍ବପର୍ବାଣିକୁ ନେଇ । ଧର୍ମଭିତ୍ତିକ ପର୍ବଗୁଡ଼ିକ ବ୍ୟକ୍ତିର ଆଧାୟିକ ଚେତନାକୁ ଜାଗ୍ରତ କରୁଥିବା ବେଳେ କର୍ମ ବା ବୃଭିଭିତ୍ତିକ ପର୍ବଗୁଡ଼ିକ ତା’ର ଜୀବନ ଓ ଜୀବିକା ପ୍ରତି ଶ୍ରଦ୍ଧା, ଭକ୍ତି ଓ ଅନୁରାଗ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । ଋତୁଭିତ୍ତିକ ପର୍ବଗୁଡ଼ିକରେ ସତେଯେମିତି ରଙ୍ଗମୟ ପ୍ରକୃତି ପ୍ରତ୍ୟେକ ବ୍ୟକ୍ତିର ଦେହ ଓ ମନକୁ ଓହ୍ଲାଇ ଆସି ତା’ର ପ୍ରାଣକୁ ରଙ୍ଗମୟ କରିଦିଏ । କ୍ଷଣକ ପାଇଁ ହେଲେ ସୁଦ୍ଧା କର୍ମକ୍ରାନ୍ତ ଜୀବନର ଅବସାଦକୁ ସେମାନେ ଭୁଲିଯାଇ ନୂତନ ଉତ୍ସାହ, ନୂତନ ପ୍ରେରଣା ନେଇ କର୍ମକ୍ଷେତ୍ରରେ ପୁଣି ଆଗେଇ ଯାଆନ୍ତି ।
ଶେଷ କଥା : ସାମାଜିକ ଜୀବନଧାରା ହେଉଛି ଏକ ପ୍ରବହମାନ ସ୍ରୋତ । ଆଜି ଜ୍ଞାନ ବିଜ୍ଞାନର ବିକାଶ ଓ ଆଧୁନିକ ଶିକ୍ଷାର ପ୍ରସାର ଫଳରେ ସମାଜର ସ୍ୱରୂପରେ ବିରାଟ ପରିବର୍ତ୍ତନ ଘଟିଛି । ତେଣୁ ଆମର ଯୁଗ ଯୁଗର ପରମ୍ପରା ଓ ସଂସ୍କୃତି ହୋଇଛି କ୍ଷଣଶୀଳ । ସଂସ୍କୃତି ନାମରେ ଅପସଂସ୍କୃତି ଆମକୁ କବଳିତ କରିଛି । ସେଇଥିପାଇଁ ପର୍ବପର୍ବାଣିର ପବିତ୍ରତା ଓ ଓଷାବ୍ରତର ଶୁଦ୍ଧତା ରକ୍ଷା କରାଯାଇ ପାରୁନାହିଁ । ଭୋଜିଭାତ ସହିତ ଶସ୍ତା ନାଚଗୀତ, ମଦ୍ୟ ମାଂସ ଇତ୍ୟାଦିର ପ୍ରାବଲ୍ୟ ଭୋଗବାଦୀ ମାନବର ତାମସିକ ପ୍ରବୃଭିକୁ ଗ୍ରାସ କରି ନେଇଛି । ସଂକୀର୍ଣ୍ଣ ରାଜନୀତିକ ବିଚାରବଶତଃ ଦୋଳ, ଦଶହରା, ଶ୍ରୀରାମନବମୀ, ସରସ୍ବତୀ ପୂଜା, ଗଣେଶ । ପୂଜା ଇତ୍ୟାଦିକୁ ସାଂପ୍ରଦାୟିକ ରୂପ ପ୍ରଦାନ କରାଯାଉଛି ଏବଂ ସେଥିପାଇଁ ଆମର ସାମାଜିକ ସଭାବ ନଷ୍ଟ ହେଉଛି; ଆଇନ ଶୃଙ୍ଖଳା ବ୍ୟାହତ ହେଉଛି । ମେଢ଼, ମଣ୍ଡପ, ଜନସମାବେଶ ବା ଶୋଭାଯାତ୍ରାର ସୁରକ୍ଷା ନିମନ୍ତେ ଶସ୍ତ୍ରଧାରୀ ପୋଲିସଙ୍କର ସାହାଯ୍ୟ ଆବଶ୍ୟକ ହେଉଛି । ଆନନ୍ଦମୁଖର ଉତ୍ସବର ଆୟୋଜନ ପରିଶେଷରେ ଗଭୀର ନିରାନନ୍ଦରେ ପରିଣତ ହେଉଛି । ସୁତରାଂ ପରମ୍ପରା ଓ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖୁ ମନରେ ଉଦାର ମାନବୀୟ ଭାବକୁ ଜାଗ୍ରତ ନକଲେ ସାମାଜିକ ଉତ୍ସବଗୁଡ଼ିକର ଉଦ୍ଦେଶ୍ୟ ନିଶ୍ଚଳ ହୋଇଯିବ ।
COMMENTS