Friday, 19 February 2021

Odia Essay on "My Favourite Game", "ତୁମର ପ୍ରିୟ ଖେଳ ରଚନା" for Students

Essay on My Favourite Game in Odia Language: In this article "ତୁମର ପ୍ରିୟ ଖେଳ ରଚନା", "Odia essay mora priyo khela rachana", "essay on kabaddi in odia for students of class 5, 6, 7, 8, 9, and 10.

Odia Essay on "My Favourite Game", "ତୁମର ପ୍ରିୟ ଖେଳ ରଚନା" for Students

ସୂଚନା : ଏକ ପୁରାତନ ଆପ୍ତବାଣୀ ହେଉଛି, “ ଶରୀରମାଦୌ ଖଳୁଧର୍ମ ସାଧନମ୍” । ଅର୍ଥାତ୍ ଶରୀର ରକ୍ଷା ହେଉଛି ଆମ୍ଭମାନଙ୍କର ପ୍ରଥମ କାର୍ଯ୍ୟ । ଜୀବନର ସକଳ ସଫଳତାର ଚାବିକାଠି ହେଉଛି ସ୍ଵାସ୍ଥ୍ୟ । ସ୍ୱାସ୍ଥ୍ୟହୀନ, ଦୁର୍ବଳ ଓ ରୁଗଣ ବ୍ୟକ୍ତିର ଜୀବନ କେବଳ ଅବସାଦଗ୍ରସ୍ତ ହୋଇ ନ ଥାଏ, ତାହା ଅସାର ବୋଧ ହୋଇଥାଏ । ସାଧନା ପଥରେ ସ୍ଵାସ୍ଥ୍ୟହୀନତା ହେଉଛି ହିମାଳୟ ତୁଲ୍ୟ ଏକ ବିରାଟ ପ୍ରତିବନ୍ଧକ । ମେଧାବୀ ଛାତ୍ର ହୁଅନ୍ତୁ, କୁଶଳୀ କଳାକାର ହୁଅନ୍ତୁ, ବିଜ୍ଞାନର ଗବେଷକ ହୁଅନ୍ତୁ ଅଥବା ଦେଶସେବକ, ରାଜନୀତିଜ୍ଞ, ଧର୍ମପ୍ରଚାରକ ଯାହା କିଛି ହୁଅନ୍ତୁ, ଶାରୀରିକ ସୁସ୍ମତା ନ ଥିଲେ ସେ ସଫଳକାମ ହୋଇ ପାରନ୍ତି ନାହିଁ । ସେଥିପାଇଁ ସ୍ବାସ୍ଥ୍ୟକୁ ଏକ ସଂପଦ ଭାବରେ ବିବେଚନା କରାଯାଇଛି । ଇଂରାଜୀରେ କୁହାଯାଇଛି, “Health is the greatest of all possessions; a pale cobbler is better than a sick king" (Bickerstaff) ଅର୍ଥାତ୍ ସଂସାରର ଯେ କୌଣସି ସଂପଦ ତୁଳନାରେ ସ୍ବାସ୍ଥ୍ୟ ହେଉଛି ଅଧୁକ ମୂଲ୍ୟବାନ । ଜଣେ ମଳିନ ମୋଚି ଜଣେ ରୁଗଣ ନରପତିଠାରୁ ବରଂ ଅଧୁକ ସୁଖୀ ।

ଏହି କାରଣରୁ ବହୁ ପ୍ରାଚୀନ କାଳରୁ ଆମ ଦେଶରେ ନାନାଦି ପ୍ରକାର ଖେଳ କସରତର ପ୍ରଚଳନ ରହି ଆସିଛି । ବାଗୁଡ଼ି, ବୋହୁଚୋରି, କୁସ୍ତି ଲଢ଼େଇ ଓ ବାଳିକାମାନଙ୍କ ନିମନ୍ତେ ପୁଚିଖେଳ, ଦୋଳିଖେଳ ଇତ୍ୟାଦି ଦେଶୀୟ ଖେଳଗୁଡ଼ିକ ବିଶେଷ ଭାବରେ ଆଦରଣୀୟ ହୋଇଥିବା ସ୍ଥଳେ ପରବର୍ତ୍ତୀ କାଳରେ ହକି, କ୍ରିକେଟ, ବ୍ୟାଡମିଣ୍ଟନ, ଭଲି ଓ ଫୁଟବଲ ଇତ୍ୟାଦି ବିଦେଶୀ ଖେଳକୁ ଆମେ ଆପଣାର କରି ନେଇଛୁ ।

ପ୍ରିୟ ଖେଳର ବିବରଣୀ : ଦେଶ ପ୍ରଚଳିତ ବାଗୁଡ଼ି ଖେଳ ହିଁ ମୋର ସର୍ବାଧିକ ପ୍ରିୟ ଖେଳ । ଏହାକୁ କେହି ଡୁ-ଡୁ, ଆଉ କେହି କବାଡ଼ି ବୋଲି କହିଥାଆନ୍ତି । କ୍ଷୁଦ୍ର ବା ପ୍ରଶସ୍ତ ଗୋଟିଏ ସମତଳ କ୍ଷେତ୍ର ଏଥିପାଇଁ ଆବଶ୍ୟକ ହୋଇଥାଏ । ଶିଶୁମାନେ ଗ୍ରାମ ଦାଣ୍ଡକୁ ଏଥିପାଇଁ ଏକ ଉପଯୋଗୀ କ୍ଷେତ୍ର ରୂପେ ବିବେଚନା କରିଥାଆନ୍ତି । ସମାନ ସଂଖ୍ୟକ ଖେଳାଳି ଦୁଇଟି ଦଳରେ ବିଭକ୍ତ ହୋଇ ଏହି ଖେଳରେ ଅଂଶ ଗ୍ରହଣ କରନ୍ତି । ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟକ ଖେଳାଳିଙ୍କର ଆବଶ୍ୟକତା ନ ଥାଏ । ଇଚ୍ଛାକଲେ ଏକ ସମୟରେ ଆଠ ଦଶ ଜଣରୁ ଆରମ୍ଭ କରି କୋଡ଼ିଏ । ତିରିଶ ପର୍ଯ୍ୟନ୍ତ ଖେଳାଳି ଏଥିରେ ଭାଗ ନେଇ ପାରିବେ । ଦୁଇ ବିପରୀତ ପାର୍ଶ୍ଵରେ ଉପସ୍ଥିତ ଥିବା ପ୍ରତିପକ୍ଷ ଖେଳାଳିଙ୍କ ମଧ୍ୟ ଭାଗରେ ଗୋଟିଏ ‘ପାହି’ ବା ସୀମାରେଖା ଅଙ୍କିତ ହୋଇଥାଏ । ଥରକେ ଗୋଟିଏ ପକ୍ଷର ଜଣେ ମାତ୍ର ଖେଳାଳି ରାହା ଧରି ଅପର ପକ୍ଷକୁ ଖେଳ ଦେବାକୁ ଗଲାବେଳେ ପ୍ରତିପକ୍ଷର ଖେଳାଳିମାନେ ତାହାକୁ ମାଡ଼ିବସି ଧରି ରଖୁବାକୁ । ଚେଷ୍ଟା କରନ୍ତି । ରାହା ଧରିଥିବା ଖେଳାଳି ଯଦି ରାହା ରକ୍ଷା କରି ସେମାନଙ୍କ ଶକ୍ତିକୁ କୌଣସି ମତେ ପରାହତ କରିବା ପୂର୍ବକ ମଧ୍ୟବର୍ତ୍ତୀ ପାହକୁ ଆସି ସ୍ପର୍ଶ କରିଦିଏ, ତେବେ ସେ ବିଜୟୀ ହୁଏ ଏବଂ ତାକୁ ସ୍ପର୍ଶ କରିଥିବା ସମସ୍ତ ଖେଳାଳି ‘ଆଉଟ୍ ହୋଇଯାଆନ୍ତି । ଅନ୍ୟଥା ରାହା ଧରିଥିବା ଖେଳାଳି ନିଜେ ଆଉଟ୍ ହୋଇଯାଏ । ଏହି କ୍ରମରେ ଖେଳ ଚାଲୁ ରହେ ଏବଂ ଯେଉଁ ପକ୍ଷର ସମସ୍ତ ଖେଳାଳୀ ଆଉଟ୍ ହୋଇଯାଆନ୍ତି, ସେମାନେ ପରାଜିତ ହୁଅନ୍ତି ଏବଂ ଅପର ପକ୍ଷ ଜୟଯୁକ୍ତ ହେଲେ ବୋଲି ଘୋଷଣା କରାଯାଏ । ଆଉଟ ହୋଇଥିବା ଖେଳାଳିକୁ ଗ୍ରାମ୍ୟ ଭାଷାରେ ‘ମୃତ’ ବୋଲି କୁହାଯାଏ ।

ଏହି ଖେଳଟି ବେଶ୍ ବୀରତ୍ଵପୂର୍ଣ୍ଣ ହୁଏ ଏବଂ ଏହାର ଜୟ ପରାଜୟ କ୍ରୀଡ଼ାବିତମାନଙ୍କର ଦୈହିକ ଶକ୍ତି ଓ କୌଶଳ ଉପରେ ନିର୍ଭର କରେ । ସବୁଠାରୁ ଉଲ୍ଲେଖଯୋଗ୍ୟ ଯେ, ଖେଳରେ ଯେଉଁ ଗୀତ ବ୍ୟବହାର କରାଯାଏ ତାହା ବେଶ୍ ବୀରତ୍ବ ବ୍ୟଞ୍ଜକ ହୋଇଥାଏ । ତାହାକୁ ଶୁଣିଲେ ମନେହୁଏ ସତେ ଯେପରି ଦୁଇଟି ଲଢୁଆ ଗୋଷ୍ଠୀ ଜୀବନପଣ କରି ସଂଗ୍ରାମ ଭୁମିରେ ଅବତୀର୍ଣ୍ଣ ହୋଇଛନ୍ତି । ଯେଉଁ ଖେଳାଳିଟି ତା’ର ପ୍ରତିପକ୍ଷକୁ ଖେଳ ଦେବା ପାଇଁ ଯାଏ ସେ ନିଜକୁ ଜଣେ ସଂଗ୍ରାମୀ ଯୋଦ୍ଧା ବୋଲି କଳ୍ପନା କରି ରାହା ଧରି ଗାଏ

‘ପଣସ ପତର ଦିଶଇ ଲାଲ

ମାରିବି ଯାବଡ଼ ଭାଙ୍ଗିବି ଗାଲ

ଭାଙ୍ଗିବି ଗାଲ”

ପୁଣି

“କିତିକିତିକା

ମାରି କରିଦେବି ମୁହଁ ତୋ ବଙ୍କା

ମୁହଁ ତୋ ବଙ୍କା” ଇତ୍ୟାଦି ।

ପଶ୍ଚିମ ଓଡ଼ିଶାର ଶିଶୁମାନେ ଏହି ଖେଳରେ ଗାଇଥାଆନ୍ତି

“ଆମ ପତର ଲମ୍ ଲମ୍

ଘିଚିଦେବି ତୋ ପେଟର ଚମ୍

ପଣ୍ଡାଇ ମାଡ଼ିବି ଦମ୍ ଦମ୍।”

ଏଇଭଳି କ୍ରୀଡ଼ା ଗୀତଗୁଡ଼ିକ କେବଳ କ୍ରୀଡ଼ାବିତ୍‌ମାନଙ୍କଠାରେ ବୀରତ୍ବ ବା ପ୍ରାଣଶକ୍ତିର ସ୍ମରଣ କରି ନ ଥାଏ, ଉପସ୍ଥିତ ଦର୍ଶକମାନଙ୍କୁ ମଧ୍ୟ ବେଶ୍ ଉତ୍ସାହିତ କରିଥାଏ । ଏହି ଗୀତଗୁଡ଼ିକ ପର୍ଯ୍ୟାଲୋଚନା କଲେ ମନେହୁଏ, ଏଗୁଡ଼ିକ ନିରର୍ଥକ ନୁହେଁ, ବରଂ ତାତ୍ପର୍ଯ୍ୟପୂର୍ଣ୍ଣ ।

ପ୍ରିୟତାର କାରଣ : ବାଗୁଡ଼ିଖେଳ ହେଉଛି ଭାରତର ଏକ ଐତିହ୍ୟପୂର୍ଣ୍ଣ ପ୍ରାଚୀନ ଖେଳ ଓ ଆମ ଜାତୀୟ ସଂସ୍କୃତିର ପ୍ରତୀକ । ମହାଭାରତ ଯୁଗରେ ମଧ୍ୟ ଏହି ଖେଳର ପ୍ରଚଳନ ଥିଲା । ଏହାକୁ ସେତେବେଳେ ‘ଝିମିଟି’ ବା ‘ଝିମାଣି ଖେଳ’ ବୋଲି କୁହାଯାଉଥିଲା । ‘ଝିମିଟି ଖେଳରୁ ମହାଭାରତ’ ପ୍ରବଚନଟି ବହୁ ପ୍ରଚଳିତ ଓ ସର୍ବବିଦିତ ଅଟେ । ଅର୍ଥାତ୍ ଏହି ଝିମିଟି ଖେଳରୁ କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ଦ୍ବନ୍ଦ ସୃଷ୍ଟି ହୋଇ ପରବର୍ତ୍ତୀ କାଳରେ ମହାଭାରତ ଯୁଦ୍ଧର ନିୟାମକ ହୋଇଥିଲା ।

ବାଗୁଡ଼ି ଖେଳଟି ଏକ ଦେଶୀୟ ଖେଳ ହୋଇଥିବାରୁ ଏଥିରେ କୌଣସି ସ୍ବତନ୍ତ୍ର ବେଶପୋଷାକ ବା ଉପକରଣ ଆବଶ୍ୟକ ହୋଇନଥାଏ । ଧନୀ ଦରିଦ୍ର ଯେ କୌଣସି ଶ୍ରେଣୀର ଖେଳାଳି ବିନା ଅର୍ଥ ବ୍ୟୟରେ ଏଥିରେ ଭାଗ ନେଇ ପାରିବେ । ଅପର ପକ୍ଷରେ ବିଦେଶୀ ଖେଳଗୁଡ଼ିକ ପାଇଁ କେତେପ୍ରକାର ଉପକରଣ ଆବଶ୍ୟକ ହୋଇଥାଏ ଏବଂ କେତେକ ଖେଳ ପାଇଁ ଅର୍ଥ ବ୍ୟୟ କରି ନିର୍ଦ୍ଦିଷ୍ଟ ରୀତିରେ କ୍ଷେତ୍ର ନିର୍ମାଣ କରିବାକୁ ପଡ଼ିଥାଏ । ବାଗୁଡ଼ିଖେଳ ପାଇଁ ବ୍ୟୟବହୁଳ ଉପକରଣ ବା ନିର୍ଦ୍ଦିଷ୍ଟ ନିୟମଯୁକ୍ତ କ୍ଷେତ୍ର ନିର୍ମାଣ ଆବଶ୍ୟକ ହୋଇ ନ ଥାଏ । ଗ୍ରାମ ଦାଣ୍ଡଠାରୁ ଆରମ୍ଭ କରି ଗ୍ରାମ ପ୍ରାନ୍ତର ପର୍ଯ୍ୟନ୍ତ ଯେ କୌଣସି ସ୍ଥାନରେ, ଯେ କୌଣସି ସଂଖ୍ୟକ ଖେଳାଳି ଏଥିରେ ଭାଗ ନେଇପାରନ୍ତି ।

ବାଗୁଡ଼ିଖେଳ କେବଳ ଆନନ୍ଦ ଦାନ କରି ନ ଥାଏ, ଏହାଦ୍ୱାରା ଉତ୍ତମ ରୂପେ ଶରୀରର ବ୍ୟାୟାମ ହୋଇଥାଏ । ସମସ୍ତ ଶକ୍ତି ପ୍ରୟୋଗ କରି ଖେଳାଳିମାନେ ଅଂଶ ଗ୍ରହଣ କରୁଥିବାରୁ ଏହା ଦ୍ବାରା ସେମାନଙ୍କର ଉତ୍ତମ ଅଙ୍ଗ ଚାଳନା ହୋଇ ରକ୍ତ ସଞ୍ଚାଳନ ଘଟିଥାଏ । ସର୍ବୋପରି ଆମେମାନେ ପାଶ୍ଚାତ୍ୟ ସଂସ୍କୃତିକୁ ଆଦରି ନେଇ ଦେଶୀୟ ସଂସ୍କୃତିକୁ ପରିହାର କରିବା ଉଚିତ୍ ନୁହେଁ । ସେଇ କାରଣରୁ ବାଗୁଡ଼ି ଖେଳକୁ ମୁଁ ମୋର ଏକ ପ୍ରିୟ ଖେଳ ଭାବରେ ବାଛି ନେଇଛି ।

ଉତ୍କଳୀୟ ସଂସ୍କୃତିରେ ବାଗୁଡ଼ିଖେଳ : ବାଗୁଡ଼ି ଭଳି ଏକ ସହଜ, ସରଳ ଓ ବୀରତ୍ବ ବ୍ୟଞ୍ଜକ ଖେଳ ଓଡ଼ିଶା ବାହାରେ କେତେକ ରାଜ୍ୟରେ ଅନୁଷ୍ଠିତ ହେଉଥିଲେ ମଧ୍ୟ ଉତ୍କଳୀୟ ସଂସ୍କୃତିରେ ଏହାର ସ୍ୱତନ୍ତ୍ର ସ୍ଥାନ ଅଛି । ଅତୀତରେ ଉତ୍କଳୀୟମାନେ ଥିଲେ ଦୁଦ୍ଧର୍ଷ ବୀର । ଉତ୍କଳର ପାଇକ ବାହିନୀ ଆପଣାର ବାହୁବଳରେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ରାଜ୍ୟର ସୀମା ବିସ୍ତାର କରିଥିଲେ । ପାଇକ ସେନାମାନେ ବର୍ଷସାରା ନିଜ ଗ୍ରାମ ବା ନିଜ ଗୃହରେ ଥାଇ ଆପଣା ଆପଣାର ଜୀବିକାରେ ବ୍ୟାପୃତ ଥିଲାବେଳେ ଯୁଦ୍ଧର ଆହ୍ମାନ ପାଇଲେ ତତ୍‌କ୍ଷଣାତ୍ ହଂକାର ଦେଇ ଅସ୍ତ୍ରଶସ୍ତ୍ର ସହ ବହିର୍ଗତ ହେଉଥିଲେ । କେତେପ୍ରକାର ଗ୍ରାମ୍ୟ କ୍ରୀଡ଼ାରେ ତାହାର ପ୍ରଭାବ ଅନୁଭୂତ ହୋଇଥାଏ । ବାଗୁଡ଼ି, ଯଷ୍ଟିକ୍ରୀଡ଼ା, ଫରିଖେଳ, ମଲ୍ଲଯୁଦ୍ଧ ଇତ୍ୟାଦି ହେଉଛି ତା’ର ଅଂଶ ବିଶେଷ । ସେଇଥିପାଇଁ ଛୋଟ ଛୋଟ ଶିଶୁମାନେ ମଧ୍ୟ ଅବସର ସମୟରେ ଗ୍ରାମ ଦାଣ୍ଡରେ ବାଗୁଡ଼ିଖେଳକୁ ଏକ ପ୍ରିୟ ଖେଳ ଭାବେ ବାଛି ନେଇଥାଆନ୍ତି ।

ଶେଷକଥା : ଦୁଃଖର କଥା, ଆମେ ଆଜି ପାଶ୍ଚାତ୍ୟାନୁସାରୀ ହୋଇ ଆମର ଦେଶୀୟ ସଂସ୍କୃତିରୁ ସମ୍ପୂର୍ଣ୍ଣ ରୂପେ ବିସୃତ ହୋଇଗଲୁଣି । ଦେଶୀୟ କ୍ରୀଡ଼ାଗୁଡ଼ିକ ଆଜି ଅନାଦୃତ ଓ ଅବହେଳିତ । କ୍ରିକେଟ ଭଳି ଏକ ବିଦେଶୀ ଖେଳ ଆମ ମାନସିକତାକୁ ଏଭଳି ଗ୍ରାସ କରି ରହିଛି ଯେ, ଆମର ମୌଳିକ ସଂସ୍କୃତିଟି କଅଣ, ତାହା ଚିନ୍ତା କରିବାକୁ ଆମର ଅବସର ନାହିଁ । ଅଥଚ ଏହି ଖେଳଟି ଆନ୍ତର୍ଜାତୀୟ କ୍ଷେତ୍ରରେ ବହୁ ବାଦ ବିସମ୍ବାଦ, ଦ୍ବନ୍ଦ ଓ କଳହର କାରଣ ହୋଇଛି । ଏଭଳି ଖେଳକୁ ଆପଣାର କରିବା ବା ଏଥିରେ ପାରଦର୍ଶିତା ଲାଭ କରିବା ଦୋଷାବହ ନ ହେଲେ ମଧ୍ୟ, ଆମର ମୌଳିକ ସଂସ୍କୃତି ସହିତ ଜଡ଼ିତ ଦେଶୀୟ ଖେଳଗୁଡ଼ିକ ପ୍ରତି ହେୟ ବା ନ୍ୟୁନ ମନୋଭାବ ପୋଷଣ କରିବା ଉଚିତ୍ ନୁହେଁ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: